ମୋଦିଙ୍କ ପାଇଁ ସତର୍କ ଘଂଟି : ପଞ୍ଜାବ ଗୁରୁଦାସପୁର ଉପନିର୍ବାଚନରେ ରେକର୍ଡ ମାର୍ଜିନ ୨ ଲକ୍ଷ ଭୋଟରେ ଜିତିଲେ କଂଗ୍ରେସ ପ୍ରାର୍ଥୀ

37

କନକ ବ୍ୟୁରୋ : ବିଜେପିକୁ ଶକ୍ତ ଝଟକା । ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନକୁ ଛଡାଇ ନେଇଛି କଂଗ୍ରେସ । ଆଉ ପରାଜୟର ସ୍ୱାଦ ଚାଖିଛି ବିଜେପି । ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାକଡ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିଆଙ୍କଠାରୁ ୧ଲକ୍ଷ ୯୩ହଜାର ୨୧୯ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତିି । ସୁନୀଲ ଜାକଡ ୪ଲକ୍ଷ ୯୯ହଜାର ୭୫୨ ଭୋଟ୍ ପାଇଥିବାବେଳେ ବିଜେପିର ସ୍ୱର୍ଣ୍ଣ ସଲାରିଆଙ୍କୁ ମିଳିଛି ୩ଲକ୍ଷ ୬ହଜାର ୫୩୩ ଭୋଟ । ଏବଂ ତୃତୀୟ ସ୍ଥାନରେ ଆମଆଦମୀ ପାର୍ଟିର ପାର୍ଥୀ ୨୩ ହଜାର ଭୋଟ୍ ପାଇଛନ୍ତି ।

ଏହି ବିଜୟ ପରେ ଗୁରୁଦାସପୁର, ଚଣ୍ଡିଗଡ ସମେତ ପଞ୍ଜାବର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବାଜାବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି । ସାଂସଦ, ଅଭିନେତା ବିନୋଦଖାନାଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଏହି ଆସନ । ଲଗାତାର ଭାବରେ ଚାରି ଚାରି ଥର ଏହି ଆସନରୁ ବିଜୟୀ ହୋଇଥିଲେ ବିନୋଦ । ଏହି ଉପନିର୍ବାଚନ ୬ ମାସର ପୁରୁଣା ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଥିଲା । ଏବଂ ବିଧାନସଭା ନିର୍ବାଚନରେ ମାତ ଖାଇଥିବା ବିଜେପି ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଥିଲା ।

ସେପଟେ କେରଳରେ ବି ମାତ୍ ଖାଇଛି ବିଜେପି । ଭେନେଗ୍ରା ବିଧାନସଭା ଉପନିର୍ବାଚନରେ କଂଗ୍ରେସ ସମର୍ଥିତ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପ୍ରାର୍ଥୀ କେ.ଏନ.ଏ ଖାଦେର ବିଜୟୀ ହୋଇଛନ୍ତି । ଏଠି ଚତୁର୍ଥ ସ୍ଥାନରେ ରହିଛି ବିଜେପି ।