ସହରାଞ୍ଚଳ ମହିଳା ଶିଶୁଙ୍କୁ କରାନ୍ତିନି ସ୍ତନ୍ୟପାନ! ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ବିବାଦୀୟ ଯୁକ୍ତି, ଫିଟ୍ ରହିବାକୁ ଆପଣାଉଛନ୍ତି ଫର୍ମୁଲା 

40

କନକ ବ୍ୟୁରୋ : ଗୋଟିଏ ନବଜାତ ଶିଶୁକୁ ତା ମା’କ୍ଷୀର ହିଁ ସୁସ୍ଥ ରହିବା ପାଇଁ ସହାୟକ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । ହେଲେ ସହରାଞ୍ଚଳ ମହିଳାମାନେ ନିଜକୁ ଫିଟ ରଖିବା ପାଇଁ ନିଜ ଜନ୍ମିତ ଶିଶୁକୁ ସ୍ତନ୍ୟପାନ କରାଉନାହାଁନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଆନ୍ଦୀବେନ୍ ପଟେଲ । ଆନନ୍ଦୀବେନ ପଟେଲଙ୍କ କହିବା ମୁତାବକ ବର୍ତ୍ତମାନ ସମୟରେ ସହରୀ ମହିଳାମାନେ ନିଜ ଶରୀରକୁ କିଭଳି ଫିଟ୍ ରଖିବେ ଏନେଇ ଅନେକ ପ୍ରକାର ଉପାୟ ଗ୍ରହଣ କରୁଛନ୍ତି । ଯାହାଦ୍ୱାରା ପିଲାମାନଙ୍କୁ ସ୍ତନ୍ୟପାନ ନ କରାଇ, ନିଜ କଅଁଳ ଶିଶୁଙ୍କୁ ବୋତଲରେ କ୍ଷୀର ପିଆଉଥିବା କହିଛନ୍ତି ଆନନ୍ଦୀବେନ ପଟେଲ ।

ଗତକାଲି ମଧ୍ୟପ୍ରଦେଶର କାଶୀପୁର ଠାରେ ଏକ ଅଙ୍ଗୱାର୍ଡି କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟପ୍ରଦେଶ ରାଜ୍ୟପାଳ ସେଠାରେ ଉପସ୍ଥିତ ଥିବା ମହିଳାମାନଙ୍କୁ କହିଛନ୍ତି । ଏପରିକି ଯଦି ଶିଶୁମାନଙ୍କୁ ବୋତଲରେ କ୍ଷୀର ପିଆନ୍ତି, ତାହା ହେଲେ ଭବିଷ୍ୟତରେ ସେମାନେ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜ୍ୟପାଳ ଆନନ୍ଦୀବେନ କହିଛନ୍ତି । ଏହାସହ ସମସ୍ତ ନବଜାତ ଶିଶୁଙ୍କ ମାଆ କିଭଳି ପୃଷ୍ଟିକର ଖାଦ୍ୟ ଖାଇ ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖିବେ ସେନେଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ମହିଳାମାନେ ତୁରନ୍ତ ସରକାରୀ ଯୋଜନାର ଫାଇଦା ଉଠାଇବା ପାଇଁ ନିକଟସ୍ଥ ଅଙ୍ଗନୱାର୍ଡି କେନ୍ଦ୍ର ସହାୟତାରେ ପଂଜୀକୃତ ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ମହିଳା ଯଦି ସୁରକ୍ଷିତ ରହିବା ପାଇଁ ଚାହୁଁଛନ୍ତି ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବା ଦରକାର ବୋଲି ପରାମର୍ଶ ଦେଇଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ରହିଛି ଯାହାକି ମହିଳାଙ୍କୁ ଧୂଆଁରୁ ଦୂର ରଖିବା ସହ ନବଜାତ ପିଲାଙ୍କୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହେବ ବୋଲି ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ଆନନ୍ଦୀବେନ ପଟେଲ ।