ଗୃହରେ ଉଠିଲା ବୁଲା କୁକୁର-ଷଣ୍ଢ ପ୍ରସଙ୍ଗ: ସହରାଞ୍ଚଳ ରାସ୍ତାରୁ ବୁଲା କୁକୁର ଓ ଷଣ୍ଢକୁ ହଟାଇବା ପାଇଁ ଖର୍ଚ୍ଚ ହୋଇଛି କେତେ? ହିସାବ ଦେଲେ ବିଭାଗୀୟ ମନ୍ତ୍ରୀ ।

292

କନକ ବ୍ୟୁରୋ: ସହରରେ ବୁଲା କୁକୁର ଓ ଷଣ୍ଢକୁ ରାସ୍ତାରୁ ହଟାଇବା ପାଇଁ ବାର୍ଷିକ ହାରାହାରି କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନରେ ଉତ୍ତର ରଖି ପ୍ରତାପ କହିଛନ୍ତି କି, ବୁଲା ଷଣ୍ଢମାନଙ୍କ ଚରାବୁଲା ଉପରେ ନିୟନ୍ତ୍ରଣ ପାଇଁ ନିଗମ ତରଫରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ଯେଉଁଥିରେ ବାର୍ଷିକ ହାରାହାରି ୧୨ ଲକ୍ଷ ୬ହଜାର ୨ଶହ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସ୍କ୍ୱାର୍ଡ ବୁଲା ଗୋରୁଗାଈମାନଙ୍କୁ ରାସ୍ତା ଉପରୁ ଧରି କାଞ୍ଜିଆହୁଦାରେ ରଖିବା କାର୍ଯ୍ୟ କରୁଅଛି ।

ସେହିପରି କୁକୁରମାନଙ୍କ ବଂଶ ବୃଦ୍ଧି ଓ ପ୍ରାଦୃଭାବ ରୋକାଯିବା ନିମନ୍ତେ ମହାନଗର ନିଗମ ତରଫରୁ ସହରର ଗୋଟିଏ ସ୍ଥାନରେ କୁକୁରମାନଙ୍କର ବନ୍ଧ୍ୟାକରଣ ଡଗ ୟାର୍ଡ ପ୍ରତିଷ୍ଠା କରାଯାଇଛି । ଯାହାଦ୍ୱାରା ସହରର ବିଭିନ୍ନ ଅଞ୍ଚଳରୁ ବୁଲା କୁକୁରମାନଙ୍କୁ ଧରି ଅଣାଯାଇ ସାର୍ତୋଳ ବନ୍ଧ୍ୟାକରଣ କେନ୍ଦ୍ର ଠାରେ ବନ୍ଧ୍ୟାକରଣ କରାଯାଇ ୭ ଦିନ ପରେ ସେହି ସ୍ଥାନରେ ଛଡ଼ାଯାଉଛି । ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଗତ ଦୁଇ ବର୍ଷରେ ମୋଟ୍ ୩ଲକ୍ଷ ୨ହଜାର ୪୮୬ ଟଙ୍କା ଖର୍ଚ୍ଚ ହୋଇଛି । ଏବଂ କୁକୁର ବନ୍ଧ୍ୟାକରଣ ପାଇଁ ଆବଶ୍ୟକୀୟ ଔଷଧ ଏବଂ ଅସ୍ତ୍ରୋପଚାର ଲାଗୁଥିବା ଯନ୍ତ୍ରପାତି ପାଇଁ ଗତ ଦୁଇ ବର୍ଷରେ ମୋଟ୍ ୬ଲକ୍ଷ ୩୯ହଜାର ୪୨୮ ଟଙ୍କା ଖର୍ଚ୍ଚ ହୋଇଛି ।

ସବୁଠାରୁ ବଡ଼କଥା ହେଲା, ସହରଞ୍ଚଳବାସୀଙ୍କୁ ବୁଲା କୁକୁର ଓ ଗୋରୁଗାଈ ପାଦୃଭାବରୁ ରକ୍ଷା କରିବାକୁ ବିଭାଗ ସବୁବେଳେ ତତ୍ପରତା ଦେଖାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।