ମୁମ୍ବାଇ ପୁଲିସ୍ ଜାରି କଲା ଜଣେ ସନ୍ଦିଗ୍ଧର ସ୍କେଚ୍ : ସର୍ଚ୍ଚ ଅପରେସନରେ ମାରକୋସ୍ କମାଣ୍ଡୋଙ୍କ ସହ ଏନଏସଜି ଯବାନ୍ ସାମିଲ୍

36

କନକ ବ୍ୟୁରୋ : ଉରି ଆତଙ୍କବାଦୀ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ନଭି ମୁମ୍ବାଇରେ ୬ ଜଣ ସଶସ୍ତ୍ର ସଂଦିଗ୍ଧଙ୍କ ସୂଚନା ପାଇବା ପରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ୍ । ସ୍କୁଲ ପିଲାଙ୍କ ସୂଚନା ଅନୁସାରେ ଜଣେ ସଂଦିଗ୍ଧଙ୍କ ସ୍କେଚ୍ ଜାରି କରିଛି ପୁଲିସ ।

ଗତକାଲି ଉରାନ୍ ନୌଘାଟି ଅଂଚଳରେ ଦୁଇ ଜଣ ସ୍କୁଲ ପିଲା, ଅସ୍ତ୍ର ଶସ୍ତ୍ର ସହ ୫-୬ ଜଣ ମୁଖା ପିନ୍ଧା ଲୋକଙ୍କୁ ଦେଖିବା ପରେ ସେମାନଙ୍କ ଶିକ୍ଷକଙ୍କୁ ସୂଚନା ଦେଇଥିଲେ । ଏକଥା ଜଣାପଡିବା ପରେ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯିବ ସହ ଜୋରଦାର ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ନୌସେନାର ଦୁର୍ଦ୍ଧର୍ଷ ମାରକୋସ୍ କମାଣ୍ଡୋଙ୍କୁ ସହାୟତା କରିବା ପାଇଁ ଏନଏସଜି କମାଣ୍ଡୋ ପହଁଚିଛନ୍ତି ।

ଉରାନ୍ ଅଂଚଳକୁ ତନତନ କରି ଖାନତଲାସ କରାଯାଉଛି। କୌଣସିପ୍ରକାର ଅପ୍ରୀତିକର ପରିସ୍ଥିତିକୁ ସାମନା କରିବା ପାଇଁ ସଜାଗ୍ ରହିଛନ୍ତି ସୁରକ୍ଷାକର୍ମୀ। ସେପଟେ ମୁମ୍ବାଇ ପୋଲିସ ସର୍ଚ ଅପରେସନ୍ ଚଳାଇଛି । ଗେଟୱେ ଅଫ୍ ଇଣ୍ଡିଆ, ରାଜ ଭବନ ଓ ଭାବା ଆଟମିକ୍ ରିସର୍ଚ ସେଂଟରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ମୁମ୍ବାଇର ସବୁ ପ୍ରବେଶ ପଥ ଉପରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।