ବିଷାକ୍ତ ମଦ ସାଜିଲା କାଳ ! ଗଲାଣି ୯୨ ଜୀବନ, ଅନେକ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି ।

188

ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ କାରଣରୁ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସହାରନପୁର, ରୁଡକୀ ଏବଂ କୁଶୀନଗରରେ ବିଷାକ୍ତ ମଦ ପିଇ ପାଖାପାଖି ୯୨ ଜଣ ଲୋକଙ୍କର ଜୀବନ ଗଲାଣି । ସହାରନପୁରରେ ୬୪, ରୁଡକୀରେ ୨୦ ଏବଂ କୁଶୀନଗରରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ ଏମାନଙ୍କ ମଧ୍ୟରୁ ୧୮ ଜଣ ଲୋକଙ୍କର ମୃତ୍ୟୁ ଚିକିତ୍ସାଧୀନ ସମୟରେ ମେରଠରେ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶର ସରକାରଙ୍କ କହିବା ଅନୁସାରେ, ବିଷାକ୍ତ ମଦ ପିଇ ଜୀବନ ହରାଇଥିବା ଅଧିକାଂଶ ଲୋକ, ଉତ୍ତରାଖଣ୍ଡରେ ଏକ ଶେଷକୃତ୍ୟ କ୍ରିୟାକ୍ରମରେ ସାମିଲ ହେବା ପାଇଁ ଯାଇଥିଲେ ଏବଂ ସେହି ଠାରେ ହିଁ ଏହି ଲୋକମାନେ ମଦ୍ୟପାନ କରିଥିଲେ ।

ସହାରନପୁରର ଅଧିକାରୀଙ୍କ କହିବା ଅନୁଯାୟୀ, ସମାରୋହରୁ ଏହି ଲୋକମାନେ ଫେରିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ୪୬ଜଣ ଲୋକଙ୍କର ପୋଷ୍ଟମର୍ଟମ ହୋଇସାରିଲାଣି, ଯେଉଁଥିରେ ୩୬ଜଣ ଲୋକଙ୍କର ମୃତ୍ୟୁ ମଦ୍ୟପାନ କାରଣରୁ ହୋଇଥିବା ଜଣାପଡିଛି । ତେବେ ଏବେବି ପାଖାପାଖି ୩୦ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି । ତେବେ ଏହି ଘଟଣାରେ ପ୍ରଶାସନର ଦାୟିତ୍ୱହୀନତା ପାଇଁ ସରକାର, ନାଗଲ ଥାନା ପ୍ରଭାରୀଙ୍କ ସମେତ ୧୦ ଜଣ ପୋଲିସ ଅଧିକାରୀ ଏବଂ ଅବକାରୀ ବିଭାଗର ତିନି ଜଣ ଇନ୍ସପେକ୍ଟର ଏବଂ ଦୁଇ ଜଣ କନେଷ୍ଟବଳଙ୍କୁ ସସପେଣ୍ଡ କରିଛନ୍ତି ।