ଅପରାଧୀଙ୍କ ପାଇଁ କାରାଗାର ପାଲଟିଲା ବାର୍ ! ଜେଲ ଭିତରେ ଚାଲିଛି ମଦ ପାର୍ଟ ।

122

କନକ ବ୍ୟୁରୋ : ଜମୁଛି ମଦର ଆସର । ଜେଲ ପାଳଟିଛି ବାର୍ । ଭାଇରାଲ ହେଉଛି ଜେଲ ଭିତରର ଦୃଶ୍ୟ । ଏମିତି ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଅପରାଧୀଙ୍କ ପାଇଁ ଜେଲ ଯେମିତି ମଉଜମସ୍ତିର ସ୍ଥାନ ହୋଇଛି । ଭାଇରାଲ ହେଉଥିବା ଏହି ଭିଡ଼ିଓଟି ହେଉଛି ଉତ୍ତରପ୍ରଦେଶ ରାୟବରେଲି ଜେଲ ଭିତରର ।

ଜେଲର ବ୍ୟାରକ ନମ୍ବର ୧୦ । ଗ୍ଲାସରେ ମଦ, ପ୍ଲେଟରେ ଖାଇବା, ପାଖରେ ଥୁଆହୋଇଛି ଅଫୁଟା ଗୁଳି, ଅପରାଧୀଙ୍କର ଗୋଟିଏ ହାତରେ ମୋବାଇଲ ତ ଅନ୍ୟ ହାତରେ ସିଗାରେଟ । ଅପରାଧୀ ଜଣକ ସିଗାରେଟ ଟାଣୁଛନ୍ତି ତ ଅନ୍ୟପଟେ ଫୋନରେ କାହାକୁ ଧମକ ଚମକ ଦେଉଥିବାର ଦେଖିବାକୁ ମିଳିଛି  । ଭିଡିଓରେ ଦେଖାଯାଉଥିବା ଅପରାଧୀ ଜଣକ ହେଉଛି ଅଂଶୁ ଦୀକ୍ଷୀତ । ସେ ଜଣେ ପେଶାଦାର ଅପରାଧୀ  ।

ଭିଡିଓକୁ ଦେଖିଲେ ଲାଗୁଛି ପୁରା ଜେଲ ପ୍ରଶାସନ ଅପରାଧୀଙ୍କ ଆଗରେ ମୁଣ୍ଡ ନୁଆଁଛି । ଅପରାଧୀ ଜଣକ ଫୋନରେ କଥା ହେଉଥିବା ବେଳେ କିଭଳି ଭାବେ ଜେଲର ଓ ଉପଜେଲର ୧୦ ହଜାର ଏବଂ ୫ହଜାର ଟଙ୍କାରେ ବିକ୍ରି ହେଇଯିବେ ସେନେଇ ଖୋଲାଖୋଲି କହୁଥିବାର ଶୁଣିବାକୁ ମିଳିଛି । ଅପରାଧ କରିବା ହେଲେ ଅପରାଧୀଙ୍କୁ ଉତ୍ତର ପ୍ରଦେଶ ବାହାରକୁ ଚାଲି ଯିବାକୁ ହେବ କହୁଥିବା ଯୋଗୀ ଶାସନର ଏହି ଭିଡିଓ ବାସ୍ତବ ସ୍ଥିତିକୁ ପଦାକୁ ପକାଇ ଦେଇଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ତନାଘନା ଆରମ୍ଭ ହୋଇଛି । ଘଟଣାରେ ଏସଏସପି, ଜେଲର, ଉପଜେଲରଙ୍କ ସମେତ ୬ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।