ଏହି ଆଇପିଏସ ଅବସର ପରେ ଚାହୁଁଛନ୍ତି ଚାକିରି । ଦିନେ ନିଜକୁ ରାମଭକ୍ତ କହି ହୋଇଥିଲେ ବିବାଦୀୟ ।

67

ପୋଲିସ ବାବୁଙ୍କ ଚାକିରି ନିଶା । ଅବସର ପରେ ମଧ୍ୟ ଚାକିରି କରିବାର ଇଚ୍ଛା । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି ରାମଭକ୍ତ ଆଇପିଏସ ଅଫିସର ସୂଯ୍ୟ କୁମାର ଶୁକ୍ଳା । ଏପରିକି ଚାରୋଟି ବିଭାଗ ମଧ୍ୟରୁ ଗୋଟିଏ ବିଭାଗରେ ତାଙ୍କୁ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ଏହି ଆଇପିଏସ ଅଫିସର । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଆଇପିଏସ ଅଫିସର ଲେଖିଥିବା ଏହି ଚିଠିଟି ଏବେ ଲିକ୍ ହୋଇଯାଇଛି । ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଝଡ ସୃଷ୍ଟି ହୋଇଛି ।

ସୂର୍ଯ୍ୟ କୁମାର ଶୁକ୍ଳା । ଉତ୍ତର ପ୍ରଦେଶ ପୋଲିସ ବିଭାଗ(ହୋମଗାର୍ଡ)ର ମହାନିର୍ଦ୍ଦେଶକ । ଗତ କିଛି ଦିନ ପୂର୍ବେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ନିଜକୁ ରାମଭକ୍ତ କହିବା ସହ ଅଯୋଧ୍ୟାରେ ଖୁବଶୀଘ୍ର ରାମ ମନ୍ଦିର ହେବ ବୋଲି କହି ନୂଆ ବିବାଦ ଆରମ୍ଭ କରିଥିଲେ । ଏପରିକି ଏଥିପାଇଁ ଶପଥ ମଧ୍ୟ ନେଇଥିଲେ । ସରକାରୀ ପଦବୀରେ ରହି ଏଭଳି କହିଥିବାରୁ ସେତେବେଳେ ବିବାଦ ଦେଖା ଦେଇଥିଲା । ତେବେ ଚାକିରିରୁ ଅବସର ନେବାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ସୂର୍ଯ୍ୟ କୁମାର ଶୁକ୍ଳା ।

ଆଗାମୀ ଅଗଷ୍ଟ ୩୧ରେ ପୋଲିସ ଚାକିରିରୁ ଅବସର ନେବେ ସୂର୍ଯ୍ୟ କୁମାର ଶୁକ୍ଳା । କିନ୍ତୁ ଚାକିରି ପ୍ରତି ଏଯାଏଁ ତାଙ୍କର ମୋହ ଛାଡିନାହିଁ । ଅବସର ନେବା ପରେ ତାଙ୍କୁ ସରକାରଙ୍କ ଅଧିନରେ ଥିବା ଚାରୋଟି ସଂସ୍ଥା ମଧ୍ୟରୁ ଗୋଟିଏରେ ଅଧ୍ୟକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି ଏହି ଆଇପିଏସ ଅଫିସର । ଏହାର ପ୍ରତିବଦଳରେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦଳ ପାଇଁ ପ୍ରଚାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୂର୍ଯ୍ୟ । ସେ ନିଜ ଚିଠିରେ ଲେଖିଛନ୍ତି, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ, ଖଦୀ ଓ ଗ୍ରାମ୍ୟଦ୍ୟୋଗ ବିଭାଗ, ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ପଦ ଫାଙ୍କା ରହିଛି । ତେଣୁ ଏହି ଚାରୋଟି ସରକାରୀ ସଂସ୍ଥା ମଧ୍ୟରୁ ଗୋଟିଏରେ ତାଙ୍କୁ ନିଯୁକ୍ତି ଦିଆଯାଉ । ଗତ ଜୁଲାଇ ୨୩ରେ ଏନେଇ ଚିଠି ଲେଖିଥିଲେ ଆଇପିଏସ ଅଫିସର ।

ମୁଖ୍ୟମନ୍ତ୍ରୀଙ୍କୁ ଅବସର ପରେ ଚାକିରି ଦେବାକୁ ସୂର୍ଯ୍ୟ କୁମାର ଶୁକ୍ଳା ଚିଠି ଲେଖି ଆଇପିଏସ ଅଫିସରଙ୍କ ପାଇଁ ଥିବା ସେବା ନିୟମାବଳୀର ଉଲ୍ଲଂଘନ କରିଛନ୍ତି ବୋଲି ପୂର୍ବ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ । ତେବେ ଏଭଳି କରି ଆଦୌ ଭୁଲ କରିନାହାନ୍ତି ବୋଲି କହିଛନ୍ତି ସୂର୍ଯ୍ୟ । ତାଙ୍କର ଅବସରକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଏପରିକି ଅବସର ପରେ ସେ ଯଦି କୌଣସି ରାଜନୈତିକ କିମ୍ବା ସାମାଜିକ କାର୍ଯ୍ୟରେ ନିୟୋଜିତ ହେବାକୁ ଅନୁମତି ମାଗୁଛନ୍ତି ତେବେ ସେଥିରେ ଭୁଲ କେଉଁଠି ରହିଲା ବୋଲି ଓଲଟା ପ୍ରଶ୍ନ କରିଛନ୍ତି । କିନ୍ତୁ ସୂର୍ଯ୍ୟ ସରକାରୀ ଚାକିରିରେ ରହି ଯେଉଁଭଳି ଭାବେ ବିଜେପି ପାଇଁ ପ୍ରଚାର କରିବେ ବୋଲି ଚିଠିରେ ଉଲ୍ଳେଖ କରିଛନ୍ତି ତାହାକୁ ନେଇ ଉଷ୍ମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଅବସର ପରେ ମଧ୍ୟ ସୂର୍ଯ୍ୟ କିଭଳି ଚାକିରି ମୋହ ଛାଡି ପାରୁନାହାନ୍ତି ତାହା ତାଙ୍କ ଚିଠିରୁ ସ୍ପଷ୍ଟ ଭାବେ ଜଣାପଡିଛି ।