ୟୁପି ପୋଲିସ ବିରୋଧରେ ପ୍ରିୟଙ୍କାଙ୍କ ସାଂଘାତିକ ଅଭିଯୋଗ । ତଣ୍ଟି ଚିପିବା ସହ ଧକ୍କା ମାରି ଅଟକାଇବା ନେଇ ଅଭିଯୋଗ କଲେ କଂଗ୍ରେସ ମହାସଚିବ

ଖଣ୍ଡନ କଲେ ମହିଳା ଅଧିକାରୀ; ଅବସରପ୍ରାପ୍ତ ଆଇପିଏସ ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ ପ୍ରିୟଙ୍କା

194

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅବସରପ୍ରାପ୍ତ ଆଇପିଏସ ଅଫିସର ଏସଆର. ଦାରାପୁରୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କ  ତଂଟି ଚିପିବା ସହ ଧକ୍କା ମାରି ଅଟକାଇବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହିଳା ପୋଲିସ୍ ଅଧିକାରୀ ଅର୍ଚ୍ଚନା ସିଂହ ।

ସେ କହିଛନ୍ତି, ପ୍ରିୟଙ୍କା ତାଙ୍କ ରୁଟ୍ ବଦଳାଇ ଯାତ୍ରା କରୁଥିବାରୁ ତେଣୁ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ତେବେ ତାଙ୍କ ସହ କୌଣସି ର୍ଦୁବ୍ୟବହାର କରାଯାଇ ନଥିବା ସେ କହିଛନ୍ତି । ପ୍ରିୟଙ୍କା ମିଛ କହୁଛନ୍ତି ବୋଲି ପୋଲିସ କହିଛି । ଏନେଇ ପ୍ରେସ୍ ରିଲିଜ୍ ଜାରି କରିଛି ଉତ୍ତରପ୍ରଦେଶ ପୋଲିସ୍ । ନାଗରିକତା ସଂଶୋଧନ ଆଇନ ଓ ଏନଆରସି ହିଂସାତ୍ମକ ପ୍ରତିବାଦରେ ସାମିଲ ଥିବା ଅଭିଯୋଗରେ ଦାରାପୁରୀଙ୍କୁ ଉଠାଇ ନେଇଛି ପୋଲିସ୍ । ଅନ୍ୟପଟେ ପ୍ରିୟଙ୍କାଙ୍କ ଅଭିଯୋଗ ପରେ ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି କଂଗ୍ରେସ ।