ଓଡ଼ିଶାର ୫ ଜଣ ଛାତ୍ରଙ୍କୁ ଉତରପ୍ରଦେଶ ଏଟିଏସର ଜେରା । ଗତକାଲି ସକାଳେ ଗିରଫ ହୋଇଥିବା ଜୈସ-ଇ-ମହମ୍ମଦର ୨ ଆତଙ୍କୀଙ୍କ ସୂଚନା ଆଧାରରେ ଚାଲିଛି ଜେରା

ଓଡ଼ିଶାର ୫ ଜଣ ଛାତ୍ରଙ୍କୁ ଉତରପ୍ରଦେଶ ଆଂଟି ଟେରରିଷ୍ଟ ସ୍କ୍ୱାଡ୍ ଜେରା କରୁଥିବା ସୂଚନା ମିଳିଛି

375

କନକ ବ୍ୟୁରୋ : ଓଡ଼ିଶାର ୫ ଜଣ ଛାତ୍ରଙ୍କୁ ଉତରପ୍ରଦେଶ ଆଂଟି ଟେରରିଷ୍ଟ ସ୍କ୍ୱାଡ୍ ଜେରା କରୁଥିବା ସୂଚନା ମିଳିଛି । ତେବେ ଏହି ଛାତ୍ରମାନେ କେଉଁ ଅଂଚଳର, ଏହା ସ୍ପଷ୍ଟ ହୋଇନାହିଁ । ଗତକାଲି ୨ ଜୈସେ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ୟୁପି ଆଂଟି ଟେରରିଷ୍ଟ ସ୍କ୍ୱାଡ୍ । ଶାହାରନପୁର ଅଂଚଳରେ ଲୁଚି ରହିଥିବା ୨ କାଶ୍ମୀରୀ ଆତଙ୍କବାଦୀଙ୍କୁ ଏଟିଏସ୍ ଧରିବା ପରେ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିବା ସୂଚନା ମିଳିଛି । ଗିରଫ ୨ ଆତଙ୍କବାଦୀ ହେଲେ ଆକିବ୍ ଅହମ୍ମଦ ମଲିକ୍ ଓ ଶାହନୱାଜ୍ ତେଲି । କାଶ୍ମୀର କୁଲଗାମ୍ ଇଲାକାର ଏହି ଆତଙ୍କୀ ୟୁପିରେ ଆତ୍ମଗୋପନ କରିରହିଥିଲେ ।

ସେମାନଙ୍କ ନିକଟରୁ ବହୁ ପରିମାଣର ଜିହାଦ୍ ପୁସ୍ତକ, ୩୨ ବୋର୍ ପିସ୍ତଲ ଓ ୩୦ଟି କ୍ୟାଟ୍ରିଜ୍ ଜବତ୍ କରିଛି ଏଟିଏସ୍ । ୟୁପି ଡିଜିପିଙ୍କ ସୂଚନା ଅନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ସେମାନଙ୍କୁ ଗିରଫ କରା ଯାଇଛି ଓ ସେମାନଙ୍କ ଫୋନ୍ ଡିଟେଲ୍ରୁ ଜୈସେ ସଙ୍ଗଠନ ସହ ସଂପୃକ୍ତିର ପ୍ରମାଣ ମିଳିଛି । ଗିରଫ ଆତଙ୍କବାଦୀଙ୍କୁ ଅଧିକ ପଚରାଉଚରା ଚଳାଇଛି ୟୁପି ଏଟିଏସ୍ । ସେମାନଙ୍କ ଠାରୁ ତଥ୍ୟ ମିଳିବା ପରେ ୫ ଜଣ ଓଡ଼ିଆ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । କେଉଁ ଅଭିଯୋଗରେ ପୋଲିସ ସେମାନଙ୍କୁ ପଚାରା ଉଚରା କରୁଛି, ଏ ନେଇ ଅଧିକ ସୂଚନା ମିଳି ପାରିନାହିଁ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।