କ୍ୟାମେରାରେ କଏଦ ହେଲା ପୁଲିସର ଦାଦାଗିରି : ବୃଦ୍ଧ ରିକ୍ସା ଚାଳକଙ୍କୁ ୟୁପି ପୁଲିସର ନିସ୍ତୁକ ମାଡ

25

କନକ ବ୍ୟୁରୋ : ଉତରପ୍ରଦେଶରେ ଆଇନ ବ୍ୟବସ୍ଥାକୁ ସୁଧାରିବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲାଗି ପଡିଥିବାବେଳେ ସୁଧୁରୁନି ଉତରପ୍ରଦେଶ ପୁଲିସ । ଜଣେ ବୃଦ୍ଧ ରିକ୍ସା ରିକ୍ସା ଚାଳକଙ୍କୁ ମାଡ ମାରୁଛନ୍ତି ଜିଆରପି ପୁଲିସ କର୍ମୀ । ବୃଦ୍ଧ ଜଣକୁ ନିସ୍ତୁକ ମାଡ ମାରୁଛନ୍ତି । ଟାଣି ଟାଣି ରିକ୍ସା ଚାଳକ ଜଣକୁ ଅତର୍କିତ ଭାବେ ମାଡ ମାରିବା ପରେ ତାଙ୍କୁ ଥାନା ଭିତରକୁ ନେଇଯାଇଛନ୍ତି ପୁଲିସ ବାବୁ  ।

ଖାଲି ଏତିକି ନୁହେଁ ଥାନା ଭିତରେ ମଧ୍ୟ ତାଙ୍କୁ ମାଡ ମାରିଛନ୍ତି । ଲକ୍ଷ୍ନୈାର ଚାରବାଗ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି  । ପୁଲିସ ବାବୁଙ୍କ ଏପରି ମାଡରେ ରକ୍ତାକ୍ତ ହୋଇଛନ୍ତି ବୃଦ୍ଧ ଜଣକ  । ଯେତେ ନେହୁରା ହେଲେ ମଧ୍ୟ ମାଡ ମାରିବାରୁ ଓହରିନାହାନ୍ତି ଜିଆରପି ପୁଲିସ କର୍ମଚାରୀ । ରାଗ ଥଣ୍ଡା ହେବା ଯାଏଁ ତାଙ୍କ ଉପରେ ପ୍ରହାର କରିଚାଲିଛନ୍ତି । ଉତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ଶତଚେଷ୍ଟା କରୁଛନ୍ତି ଆଇନ ବ୍ୟବସ୍ଥାକୁ ସୁଧାରିବା ପାଇଁ  । କିନ୍ତୁ ଉତରପ୍ରଦେଶ ପୁଲିସ ଆତଙ୍କରାଜ ଜାରି ରଖିଛି । ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡି କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଭାଇରାଲ ହୋଇଛି ।

ତେବେ ଘଟଣା ପଦାକୁ ଆସିବା ପରେ ସମ୍ପୃକ୍ତି ଜିଆରପି ପୁଲିସ କର୍ମଚାରୀ ବିଶ୍ୱଜିତ ସିଂହଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଜିଆରପି ପୁଲିସ କର୍ମୀ ସ୍ଥାନୀୟ ଅଟୋ ଚାଳକଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ମାଡର ଶିକାର ହୋଇଥିବା ରିକ୍ସା ଚାଳକ  । ରିକ୍ସା ବଦଳରେ ଯାତ୍ରୀଙ୍କୁ ଅଟୋ ବସିବାକୁ ବାଧ୍ୟ କରାଯାଉଥିବା କହିଛନ୍ତି  । ଏହାସହ ରେଳ ଷ୍ଟେସନ ଆଖପାଖରେ ରିକ୍ସା ଚାଳକଙ୍କୁ ଦେଖିଲେ ଏପରି ମାଡ କରାଯାଉଥିବା ରିକ୍ସା ଚାଳକ ଜଣକ କହିଛନ୍ତି  ।