ଭିଆଇପି ସଂସ୍କୃତିରେ ଯୋଗୀ ଲଗାମ୍ ! ଏଣିକି ଗାଡିରେ ଲେଖାଯିବନି ‘ଉତ୍ତରପ୍ରଦେଶ ସରକାର’

36

ଭିଆଇପି ସଂସ୍କୃତିକୁ ଉଚ୍ଛେଦ କରିବାକୁ ଯାଇ କେନ୍ଦ୍ର ସରକାର ଗାଡିରୁ ନାଲିବତୀ ହଟାଇଥିଲେ । ଏବେ ଆଉ ପାଦେ ଆଗକୁ ଯାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗାଡିରେ ଉତ୍ତରପ୍ରଦେଶ ସରକାର ଲେଖିବାରେ ରୋକ୍ ଲଗାଇଛନ୍ତି ଗେରୁଆ ବସ୍ତ୍ର ପିନ୍ଧି ମାତ୍ର କେଇଦିନ ମଧ୍ୟରେ ନିଜ ବଳିଷ୍ଠ ନେତୃତ୍ୱର ପ୍ରମାଣ ଦେଇଥିବା ଆଦିତ୍ୟନାଥ ।

ପରିବହନ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି କୌଣସି ବି ସରାକାରୀ କର୍ମଚାରୀ ଏବଂ ଅଧିକାରୀ ନିଜ ଗାଡିରେ ଉତ୍ତରପ୍ରେଦେଶ ସରକାର ଲେଖିପାରିବେ ନାହିଁ । ଏପରି କରିବାର କାରଣ ହେଉଛି ଅଧିକାଂଶ ଅଧିକାରୀ ନିଜ ବ୍ୟକ୍ତିଗତ ଗାଡିରେ ୟୁପି ସରକାର ଲେଖିଥାନ୍ତି । ହେଲେ ଏବେ ଠାରୁ କେବଳ ସରକାରୀ ଗାଡିରେ ଲେଖାଯାଇପାରିବ କିନ୍ତୁ ବ୍ୟକ୍ତିଗତ ଗାଡିରେ ନୁହେଁ ।

ଏହା ସହ କୁହାଯାଇଛି ଯଦି କେହି ଏହି ନିୟମକୁ ଉଲଂଘନ କରେ ତେବେ ତାଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ହେବାର ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଅନେକ ଚର୍ଚ୍ଚିତ ନିଷ୍ପତି ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ । ନାୟକ ସିନେମାର ଅନିଲ୍ କପୁରଙ୍କ ପରି ଅନେକ ଯୋଜନା ତଥା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଲୋକପ୍ରିୟ ହୋଇପାରିଛନ୍ତି ।

ତେବେ ଜାଣନ୍ତୁ ଯୋଗୀ ଉଠାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ :

ଆଣ୍ଟି ରୋମିଓ ସ୍କ୍ୱାଡ଼ :

ଯୋଗୀ ଉଠାଇଥିବା ପ୍ରଥମ ପଦକ୍ଷେପ ହେଉଛି ଆଣ୍ଟି ରୋମିଓ ସ୍କ୍ୱାଡ଼ । ନିର୍ବାଚନ ଲଢ଼ିବା ବେଳେ କରିଥିବା ପ୍ରତିଶ୍ରୃତି ମୁତାବକ ଉତ୍ତରପ୍ରଦେଶରେ ବଢ଼ୁଥିବା ନାରୀ ଅସଦାଚରଣ ମାମଲାଗୁଡ଼ିକୁ ରୋକିବା ପାଇଁ ପ୍ରୟାସ କରିଥିଲେ।

କୃଷି ଋଣ ଛାଡ଼ :

ନିଜର ପ୍ରଥମ କ୍ୟାବିନେଟ ବୈଠକ ପରେ, ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ କୃଷକଙ୍କ ଋଣ ଛାଡ଼ କରିଥିଲା । ମୋଟ ୩୬ ହଜାର ୩୫୯ କୋଟି ଟଙ୍କାର ଋଣକୁ ସରକାର ଛାଡ଼ କରିଦେଇଥିଲେ । ଯାହାଫଳରେ ୯୪ ଲକ୍ଷ କୋଟି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଚାଷୀ ଏଥିରୁ ଉପକୃତ ହୋଇଛନ୍ତି । ଏହା ମଧ୍ୟ ବିଜେପି ସରକାରଙ୍କ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୃତି ରହିଥିଲା।

ଅବୈଧ କଂସେଇଖାନା ଉପରେ ରୋକ :

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବାର ଗୋଟିଏ ଦିନ ପରେ ରାଜ୍ୟରେ ଥିବା ଅବୈଧ କଂସେଇଖାନା ଉପରେ ଯୋଗୀ ରୋକ ଲଗାଇଥିଲେ । ଏହା ଫଳରେ ରାଜ୍ୟର ଅନେକ କଂସେଇଖାନା ମାଲିକ ପ୍ରଭାବିତ ହୋଇଥିଲେ।

ସମସ୍ତଙ୍କ ପାଇଁ ବିଜୁଳି ସୁବିଧା :

ନିଜର ଗୋଟିଏ କ୍ୟାବିନେଟ ବୈଠକ ସମୟରେ ଯୋଗୀ ପ୍ରତି ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକୁ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ‘ସମସ୍ତଙ୍କ ପାଇଁ ବିଜୁଳି’କୁ ନେଇ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ । ୨୦୧୮ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଇବା ସହ ସାଧାରଣ ଲୋକଙ୍କ ବିଜୁଳି ସମସ୍ୟା ପାଇଁ ଏକ ହେଲ୍ପଲାଇନ୍‌ ନମ୍ୱର ୧୯୧୧ ଦିଆଯାଇଥିଲା।

ସ୍ୱଚ୍ଛ ଉତ୍ତରପ୍ରଦେଶ :

ସ୍ୱଚ୍ଛ ସର୍ବକ୍ଷଣରେ ଉତ୍ତରପ୍ରଦେଶର ଖରାପ ସ୍ଥାନ ଯୋଗୀଙ୍କୁ ମର୍ମାହତ କରିଥିଲା । ଯାହାକୁ ନେଇ ସେ ଝାଡ଼ୁ ଧରି ଲକ୍ଷ୍ନୌର ବାଲୁ ଅଡ଼୍ଡ଼ା ମାଲିନ୍‌ ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ। ଏହା ସହ ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନଗୁଡ଼ିକୁ ସଫା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ସହ ସରକାରୀ ଅଫିସ୍‌ରେ ପାନ ଏବଂ ଗୁଟକା ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ ଓ ଡ଼ାକ୍ତରଖାନାରେ ମଧ୍ୟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅବୈଧ ଖଣିଚାଲାଣ ଉପରେ ରୋକ :

ରାଜ୍ୟରେ ଅବୈଧ ଖଣିଜ ପଦାର୍ଥ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆଦିତ୍ୟନାଥ ସରକାରୀସ୍ତରରେ କେବଳ ଇ ଟେଣ୍ଡରିଙ୍ଗ ମାଧ୍ୟମରେ ଚୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନୂତନ ଭାବେ ଖଣିଜ ନୀତି ପ୍ରଣୟନ କରିବାକୁ ମନ୍ତ୍ରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି।

ଅନ୍ନପୂର୍ଣ୍ଣା ଯୋଜନା :

ଯୋଗୀ ସରକାର ଗରିବ ମାନଙ୍କୁ ମାତ୍ର ୫ଟଙ୍କାରେ ଅନ୍ନପୂର୍ଣ୍ଣା ଭେଜନାଳୟ ମାଧ୍ୟମରେ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛି । ଯୋଗୀଙ୍କ ନୂଆ ଯୋଜନା ଅନୁଯାୟୀ ୩ ଟଙ୍କାରେ ଜଳଖିଆ ଏବଂ ୫ ଟଙ୍କାରେ ମିଳିବ ମିଲ୍ ö ତେବେ କେହି ଖାଲି ପେଟରେ ଶୋଇବେ ନାହିଁ ଉଦ୍ଦେଶ୍ୟ ରଖି ଏହାକୁ ଆରମ୍ଭ କରାଯାଇଛି ।

ପ୍ରଶାସନିକ ଅଧିକାରୀଙ୍କ ବଦଳି :

ଗୁରୁବାର ୟୁପି ସରକାର ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ମୋଟ ୨୫ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । ଏପ୍ରିଲ ମାସରେ ମଧ୍ୟ ୮୪ଜଣ ଅଫିସରଙ୍କ ସହ ୩୭ଜଣ ଜିଲ୍ଲାପାଳଙ୍କୁ ବଦଳି କରାଯାଇ ସେମାନଙ୍କ ସ୍ଥାନରେ ୫୪ଜଣ ଆଇପିଏସ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସ୍କୁଲ ବ୍ୟାଗ୍‌ ବଣ୍ଟନ :

ସମସ୍ତଙ୍କୁ ଚକିତ କରିବା ପରି ଯୋଗୀ ଆଦିତ୍ୟନାଥ ସ୍କୁଲ ଗୁଡ଼ିକରେ ଅଖିଳେଶ ଯାଦବଙ୍କ ଫଟୋଥିବା ବ୍ୟାଗ୍‌ ବଣ୍ଟନ ଉପରେ ରୋକ ନଲଗାଇ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ପ୍ରତିନ୍ଦ୍ୱନ୍ଦୀ ହେଲେ ମଧ୍ୟ ଗରିବଙ୍କ ଟଙ୍କାକୁ ବଞ୍ଚାଇ ୩୫ହଜାର ସ୍କୁଲ ବ୍ୟାଗ ଗୁଡ଼ିକୁ ବାଣ୍ଟିଛନ୍ତି ଯୋଗୀ । ସମାଜବାଦୀ ପାର୍ଟି ଏପରି ୧.୮କୋଟି ବ୍ୟାଗ୍‌ ତିଆରି କରିଥିବା ବେଳେ ସେଥିରୁ ୩୫ ହଜାର ବଳି ଯାଇଥିଲା।