ବାରଣାସୀ ରାସ୍ତାରେ ମୋଦି ! ଶେଷ ପର୍ଯ୍ୟାୟ ମତଦାନ ପାଇଁ ପୁରା ଦମ୍ ଲଗାଇ ଦେଇଛି ବିଜେପି

41

କନକ ବ୍ୟୁରୋ : ତୀର୍ଥକ୍ଷେତ୍ର ବାରଣାସୀରେ ମୋଦିଙ୍କ ମେଗା ସୋ । ଉତରପ୍ରଦେଶରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପୁରା ଦମ୍ ଲଗାଇ ଦେଇଛି ବିଜେପି । ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । ନିଜ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ରୋଡ ସୋ କରିଛନ୍ତି ମୋଦି । ରାସ୍ତାର ଉଭୟ ପଟେ ମୋଦିଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିବାବେଳେ ମୋଦି ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି । କାଶୀ ବିଶ୍ୱବିଦ୍ୟାଳୟରୁ ଏହି ରୋଡ ଶୋ ଆରମ୍ଭ ହୋଇଥିବାବେଳେ ଆଜି ମୋଦି ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । ଏହି ନିର୍ବାଚନ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସମସ୍ତେ ଏହି ନିର୍ବାଚନରେ ସଫଳତା ପାଇଁ ସବୁକିଛି ବାଜି ଲଗାଇ ଦେଇଛନ୍ତି ।

ସୂଚନା ଯୋଗ୍ୟ, ୭ଟି ପର୍ଯ୍ୟାୟରେ ହୋଇଥିବା ଉତରପ୍ରଦେଶ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୮ ତାରିଖରେ ହେବ । ତେଣୁ ପୁରା ଦମ୍ ଲଗାଇଦେଇଛି ବିଜେପି । ଅଖିଳେଶ ଓ ରାହୁଲ ମଧ୍ୟ ଉତରପ୍ରଦେଶର ରାଜନୈତିକ ରଣକ୍ଷେତ୍ରରେ ପଛରେ ନାହାଁନ୍ତି । ଆଉ ସେଥିପାଇଁ ପବିତ୍ର ସହର ବାରଣାସୀରେ ଦେଖିବାକୁ ମିଳିଛି ବିରାଟ ରାଜନେତିକ ରାଲି । ୨୦୧୨ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ ଗାଦିରେ ବସିଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ଏଥର ରାସ୍ତା ସେତେ ସହଜ ନୁହେଁ । ଗୋଟିଏ ପଟେ ମୋଦି ଅନ୍ୟପଟେ ତ ମାୟାବତୀ ।

ଏହି ନିର୍ବାଚନ ଏଥର ଅନେକ ଦୃଷ୍ଟିରୁ ଗୁରୁତ୍ୱପୁର୍ଣ୍ଣ । କାରଣ ବିମୁଦ୍ରାକରଣ ପରେ ଉତରପ୍ରଦେଶ ହେଉଛି ମୋଦିଙ୍କ ପାଇଁ ଏସିଡ ଟେଷ୍ଟ । ଆଉ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ପାଇଁ ନେତୃତ୍ୱର ସବୁଠୁ ବଡ ପରୀକ୍ଷା । ସେହିପରି ପାରିବାରିକ ବିବାଦ ପରେ ନିଜ ହାତମୁଠାକୁ ପୁରା ଦଳର ଦାୟିତ୍ୱ ଆଣି ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ଅଖିଳେଶ ।