ଯୋଗୀଙ୍କ ନଜରରେ କିଭଳି ହେବ ଓଡିଶାର ବିକାଶ ? ରାଉରକେଲାରେ କହିଲେ ରାଜନୀତିର କଥା

280

କନକ ବ୍ୟୁରୋ: ଓଡିଶାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ମର୍ମରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଯୋଗୀ ମଧ୍ୟ ବିଜେପିର ବାକି ତୁଙ୍ଗ ନେତାଙ୍କ ଭଳି ଓଡିଶା ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିବାକୁ ଭୁଲି ନଥିଲେ । ସଭା ମଂଚରୁ ଉଭୟ କଂଗ୍ରେସ ଏବଂ ବିଜେଡି ଉପରେ ଚିରାଚରିତ ଢଙ୍ଗରେ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରି ଯୋଗୀ କହିଛନ୍ତି, ‘ଓଡ଼ିଶା ହେଉଛି ଭଗବାନ ଜଗନ୍ନାଥଙ୍କ ଭୂମି। ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ ପରିଣତ କରିବାଲାଗି ବିଜେପି ସଂକଳ୍ପ ନେଇଛି।’ ମୋଦୀଜୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାଲାଗି ସାରା ଦେଶରେ ଲହର ଉଠିଛି । ଭାରତବର୍ଷକୁ ଗୋଟିଏ ଏବଂ ଶ୍ରେଷ୍ଠ ଭାରତ ଭାବେ ବନାଇବାକୁ ପାଇଁ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଯୋଗୀ । ବିରୋଧୀଙ୍କୁ ଶାଣିତ ସମାଲୋଚନା କରି ଯୋଗୀ କହିଛନ୍ତି ଯେ, ବିଜେଡି ଏବଂ କଂଗ୍ରେସ ପାଇଁ ଯେଉଁ କାମ କରିବା ଅସମ୍ଭବ ଥିଲା ତାକୁ ମୋଦିଜୀ କରିକି ଦେଖାଇଛନ୍ତି । କାହିକି ନା ଆଜିକୁ ୫ ବର୍ଷ ପୂର୍ବେ ଦେଶର କୋଟି କୋଟି ଗରିବଙ୍କ ପାଖରେ ମୁଣ୍ଡ ଢାଙ୍କି ବାକୁ ଛାତ ଖଣ୍ଡେ ନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘର ମିଳିଛି । ଯାହା ମୋଦିଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଯୋଗୀ ।

ଯୋଗୀ ଆହୁରୀ ମଧ୍ୟ କହିଛନ୍ତି, ୪କୋଟି ପରିବାରକୁ ବିଦ୍ୟୁତ ମିଳିଛି । ସାଢେ ୧୨କୋଟି ଚାଷୀଙ୍କୁ ପିଏମ କିଷାନ ଯୋଜନାର ଲାଭ ମିଳିଛି । ୩୭କୋଟି ଗରିବଙ୍କ ଜନଧନ ଆକାଉଂଟ ଖୋଲାଯାଇଛି । ପିଏମ ମୁଦ୍ରା ଯୋଜନାରେ ଯୁବକଙ୍କୁ ସ୍ୱାବଲମ୍ବୀ କରାଯାଇଛି । ରାଉରକେଲାକୁ ସ୍ମାର୍ଟସିଟି ଘୋଷଣା କରାଯାଇଛି । ରାଉରକେଲା ବିମାନ ବନ୍ଦର ଛୋଟ ଥିଲା ଆଜି ଏହା ବଡ ଟର୍ମିନାଲ ହେବାକୁ ଯାଉଛି । ଏହାକୁ ଉଡାନ ଯୋଜନାରେ ସାମିଲ କରାଯାଉଛି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର କାମ ବିଜେପି ସରକାର କରିଛି । ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଟି ହସ୍ପିଟାଲ ହେବାକୁ ଯାଉଛି । ଆଉ ଏହାକୁ ସମ୍ଭବ କେବଳ ମୋଦିଜୀ ହିଁ କରିଦେଖାଇଛନ୍ତି ।

ବିରୋଧୀଙ୍କୁୁ ଟାର୍ଗେଟ କରି ଯୋଗୀ କହିଛନ୍ତି ଯେ, କଂଗ୍ରେସ ସରକାର ବେଳେ ଚୀନ ଏବଂ ପାକିସ୍ତାନ ଭାରତ ବିରୋଧୀ କାର୍ଯ୍ୟ କରୁଥିଲେ । ଆଜି ବିଜେପି ସରକାରରେ ଏହାର ମୁହଁତୋଡ ଜବାବ ଦିଆଯାଇଛି । କଂଗ୍ରେସ ଏବଂ ବିଜେଡି ନିଜର ଦେଶଦ୍ରୋହୀ ଭାବନା ପାଇଁ ଆତଙ୍କବାଦୀ ଏବଂ ନକ୍ସଲଙ୍କ ବିରୋଧରେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଯାହାକୁ ମୂଳୋତ୍ପାଟନର କାମ ବିଜେପି ସରକାର କରିଛି । ରାଜ୍ୟ ସରକାର କେନ୍ଦ୍ରୀୟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି । ଚିଟଫଣ୍ଡ, ଖଣି ଦୁର୍ନୀତି ରାଜ୍ୟରେ ହୋଇଛି । ନବୀନ ପଟ୍ଟନାୟକ ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ରୋକିଛନ୍ତି । ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର । କିନ୍ତୁ ଏହାକ ବିନିଯୋଗ ଓଡିଶାର ବିକାଶ ପାଇଁ ହୋଇ ପାରୁନି । ଏହା କେବଳ ବିଜେପି ସରକାର ଆସିଲେ କରିପାରିବ । କେନ୍ଦ୍ର ଏବଂ ରାଜ୍ୟରେ ଗୋଟିଏ ସରକାର ହେଲେ ନୂଆ ଓଡିଶା ଗଠନ ହେବ । ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତେ ରୋଜଗାର ପାଇବେ । ରାଜ୍ୟରେ ବିଜେପି ସରକାର ଆସିବା ଉଚିତ ବୋଲି କହିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।