ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୃତ ଆପଲ୍ କମ୍ପାନୀ ମ୍ୟାନେଜରଙ୍କ ପତ୍ନୀ ! ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ୫ ଲକ୍ଷର ଫିକ୍ସ ଡିପୋଜିଟର ପ୍ରତିଶ୍ରୁତି ।

22

କନକ ବ୍ୟୁରୋ : ଆପଲ ମ୍ୟାନେଜର ବିବେକ ତିୱାରୀଙ୍କ ମୃତ୍ୟୁ ଘଟଣାରେ ବିବେକଙ୍କ ପତ୍ନୀଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଘଟଣାରେ ଉଚିତ ତଦନ୍ତ ପାଇଁ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏସପି ଓ ବିଏସପି ।

ଘନେଇବାରେ ଲାଗିଛି ଆପଲ ଏକଜିକ୍ୟୁଟିଭ ବିବେକ ତିୱାରିଙ୍କ ମୃତ୍ୟୁ ମାମଲା । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହାରି ଭିତରେ ଘଟଣାର କିଛି ସମୟ ପୂର୍ବର ଏକ ସିସିଟିଭି ଭିଜୁଆଲ ମିଳିଛି । ଯେଉଁଥିରେ ପ୍ରଥମେ ବିବେକଙ୍କ ଗାଡି ଯାଉଥିବା ବେଳେ ତା ପରେ ପରେ ପୁଲିସ କନଷ୍ଟେବଳ ବାଇକରେ ଯାଉଥିବାର ଦେଖିବାକୁ ମିଳୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ନିବାସରେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ ।  ସ୍ୱାମୀଙ୍କ ମୃତ୍ୟୁ ପାଇଁ ନ୍ୟାୟ ମାଗିଛନ୍ତି କଳ୍ପନା । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର କ୍ଷତିପୁରଣ ସହ ଦୁଇ ଝିଅ ଓ ତାଙ୍କ ମାଆଙ୍କ ପାଇଁ ୫ଲକ୍ଷ ଲେଖାଏଁ ଫିକ୍ସ ଡିପୋଜିଟ ଦେବାକୁ ନିଷ୍ପତି ନେଇଥିବା କଳ୍ପନା ସୂଚନା ଦେଇଛନ୍ତି । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ଦୁଇ ଝିଅଙ୍କ ସୁରକ୍ଷିତ ଭବିଷ୍ୟତ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ହୋଇଛନ୍ତି କଳ୍ପନା । ଏହା ସହ ହତ୍ୟାକାରୀ ପୋଲିସ କନଷ୍ଟେବଲଙ୍କ ଠାରୁ ତାଙ୍କ ପରିବାରକୁ ବିପଦ ଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏବଂ ବିବେକଙ୍କୁ ପୋଲିସ ବଦନାମ କରିବାକୁ ଚେଷ୍ଟା କରୁଥିବା କଳ୍ପନା ଅଭିଯୋଗ ଆଣିଛନ୍ତି ।

ଏହି ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବା ମନ୍ତ୍ରୀ ବ୍ରିଜେଶ ପାଠକ ନିଜ ମତ ବଦଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ।  ସେପଟେ ଏହି ଘଟଣାରେ ଯୋଗୀ ସରକାରଙ୍କୁ ଘେରିଛନ୍ତି ଏସପି ଓ ବିଏସପି । ସମାଜବାଦୀ ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବାତୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶନିବାର ବିଳମ୍ବିତ ରାତିରେ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ ଆପଲ କମ୍ପାନୀ ଏକଜିକ୍ୟୁଟିଭ ୩୮ବର୍ଷୀୟ ବିବେକ ତିୱାରୀ  । ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।