ଅତୀତର ଆଲବମରେ ବରଗଡ ଧନୁଯାତ୍ରା । ହାତୀ ପିଠିରେ ବସିଥିଲେ, ମଥୁରା ନଗରୀ ବୁଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ…

1,136

କନକ ବ୍ୟୁରୋ: ଧନୁଯାତ୍ରା ଧୁନରେ ଉଠୁଛି ପଡୁଛି ବରଗଡ । କଂସଙ୍କ ହସରେ ଥରହର ହେଉଛି ମଥୁରା ନଗରୀ । ଗତ ୩ ଦିନ ଧରି ପୂରା ବରଗଡ ପୁରାଣର ଝଲକରେ ଝଲସୁଛି । ଆଉ ମୁକ୍ତାକାଶ ରଙ୍ଗମଞ୍ଚ ସହ କଂସ ମହାରାଜଙ୍କ ହାତୀ ପିଠିରେ ବସି ନଗର ପରିକ୍ରମା ଦୃଶ୍ୟ ଦର୍ଶକଙ୍କ ମନ ମୋହୁଛି । ତେବେ ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ଥିବାବେଳେ ଅନ୍ୟପଟେ ଧନୁଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଛି ସ୍ମୃତିଭରା ଫଟୋ ସାମ୍ନାକୁ ଆସିଛି । ଅତୀତର ଆଲବମରେ ସାଇତା ଥିବା କଂସ ମହାରାଜ ଓ ନବୀନଙ୍କ ଫଟୋ ୨୦୨୦ରେ ବି ସେଦିନର ସ୍ମୃତିକୁ ତାଜା କରି ଦେଇଛି ।

ସାଧାସିଧା ଚେହେରା, ଧଳା ପାଇଜାମା, ଦେହରେ ସାଲ, ପାଦରେ ହାୱାଇ ଚପଲ ଆଉ ବାମ ହାତରେ ଘଣ୍ଟା । ବରଗଡ ଧନୁଯାତ୍ରାର ରଙ୍ଗୀନ ଆଲୋକ, ଚିକମିକ ପୋଷାକ ଆଉ ରଙ୍ଗମଞ୍ଚର କଂସଙ୍କ ରାଜକୀୟ ପରିପାଟ୍ଟୀ ପାଖରେ ନବୀନଙ୍କ ସାଧାସିଧା ଜୀବନ ଶୈଳୀ ସାଧାରଣ ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା । ସମସ୍ତଙ୍କ ପରି ବରଗଡ ଧନୁଯାତ୍ରା ଦେଖିବାକୁ ନବୀନଙ୍କର ବି ଇଚ୍ଛା ହୋଇଥିଲା ଆଉ ସେ ଦେଖିବାକୁ ଯାଇଥିଲେ । ହୁଏତ ଏକଥା ଆଜି କେହି ବିଶ୍ୱାସ କରିବେନି କିନ୍ତୁ ଅତୀତର ଏ ଫଟୋ ସବୁ ନବୀନଙ୍କ ଯୁବ ସୁଲଭତାର ଗୋଟେ ଗୋଟେ ସ୍ୱାକ୍ଷର ହୋଇ ସାଇତା ରହିଛି । ଯାହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ ।

ନୂଆ ନୂଆ ରାଜନୀତିରେ ପାଦ ଦେଇଥିବା ନବୀନ, ବିଜୁ ବାବୁଙ୍କ ପୁଅ ଯେ ବରଗଡ ଧନୁଯାତ୍ରା ବୁଲିବେ ତାହା କେହି କେବେ କଳ୍ପନା କରିନଥିବେ । ମାତ୍ର ଲୋକଙ୍କ ସେ ଭ୍ରମକୁ ଭୁଲ ପ୍ରମାଣିତ କରି ହାତୀ ପିଠିରେ ନବୀନ ବୁଲିଥିଲେ ବରଗଡ ଧନୁଯାତ୍ରା । ଯଦିଓ ଫଟୋରୁ ତାହା କେଉଁ ମସିହା ବୋଲି ସ୍ପଷ୍ଟ ଜଣାପଡୁନାହିଁ ମାତ୍ର ଏତିକି ବୁଝି ହେଉଛି କି ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ଓଡିଶାର ପରମ୍ପରା, ଓଡିଶାର ଯାନିଯାତ୍ରା ବୁଲିବାକୁ କେବେ ହାତ ଛଡା କରୁନଥିଲେ । ଆଉ ମନ ଭରି ଉପଭୋଗ କରୁଥିଲେ । ହାତୀ ପିଠିରେ ବସି ନବୀନ ଲୋକଙ୍କୁ ହାତ ହଲାଇ ସମ୍ବୋଧନ କରୁଥିବାର ସେ ଫଟୋକୁ ଯଦି ଭଲ ଭାବେ ଦେଖାଯାଏ ତେବେ ସେବେଠାରୁ ନବୀନଙ୍କ ପ୍ରତି ଲୋକଙ୍କ ଅଜସ୍ର ଭଲପାଇବା ଆଉ ସମର୍ଥନ ରହିଛି ବୋଲି ବାରି ହୋଇପଡୁଥିଲା ।

ଖାଲି ସେତିକି ନୁହେଁ ମଞ୍ଚ ଉପରେ କଂସ ମହାରାଜଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଥିବାର ଫଟୋ ବି ସାମ୍ନାକୁ ଆସିଛି । କଂସ ଦରବାରରେ ମୁଖ୍ୟମନ୍ତ୍ରୀଙ୍କୁ ମହାରାଜ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ପରେ ତାଙ୍କ ସହ ଓଡିଶାର ବିକାଶ ଓ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରୁଥିବା ଅନୁମାନ କରିହେଉଛି । ଯଦିଓ ସେମାନେ କେଉଁ ପ୍ରସଙ୍ଗରେ ଆଲୋଚନା କରୁଥିଲେ ତାହା ଫଟୋରେ ଜାଣି ହୁଏ ନାହିଁ ମାତ୍ର ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ ବୋଲି ଅନୁମାନ ଲଗାଇହେବ । କାରଣ ମୁଖମନ୍ତ୍ରୀଙ୍କ ସହ ପ୍ରସନ୍ନ ଆଚାର୍ଯ୍ୟ ବି କଂସଙ୍କ ଦରବାରରେ ଥିଲେ ।

ସେପଟେ ଓଡିଶାର ବରପୁତ୍ର ବିଜୁବାବୁଙ୍କର ମଧ୍ୟ ଧନୁଯାତ୍ରା ସହ ବେଶ ନିବିଡପଣ ଥିଲା । ତାହାର ବଡ ଉଦାହରଣ ହେଉଛି କଂସ ଦରବାରରେ ବିଜୁଙ୍କ କଳାଧଳା ଫଟୋ । ଯଦିଓ ଫଟୋଟି ଝାପ୍ସା ଝାପ୍ସା ଦିଶୁଛି କିନ୍ତୁ ନବୀନଙ୍କ ପାଇଁ ବାପାଙ୍କର ଏହି ଶେଷ ସନ୍ତକ, ଶେଷ ସ୍ମୃତି ଧନୁଯାତ୍ରା ସହ ଯୋଗସୂତ୍ର ହୋଇ ଥାଇପାରେ । କାରଣ ବିଜୁ ବାବୁ ଥିଲେ ଓଡିଶାବାସୀଙ୍କ ପ୍ରିୟ ନେତା, ଓଡିଶାର ମାଟି, ପାଣି, ପବନକୁ ଭଲପାଉଥିବା ଜଣେ ମାଟିର ମଣିଷ । ହୁଏତ ବାପାଙ୍କର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ନବୀନ ନବାଗତ ମୁଖ୍ୟମନ୍ତ୍ରୀ ହେବା ପରେ ଧନୁଯାତ୍ରା ବୁଲିଯାଇଥିବା । ଯାହାର ଫଟୋ ଏବେବି ଦେଖିଲେ ତାଜା ତାଜା ଲାଗୁଛି ।