ଶିଳ୍ପପତି ଭିଜି ସିଦ୍ଧାର୍ଥଙ୍କ ଜୀବନର ଅକୁହା କଥା । କାମ କରୁଥିଲେ କିନ୍ତୁ ଦରମା ବାବଦରେ ଟଙ୍କାଟିଏ ବି ନେଉନଥିଲେ ସିସିଡି ପ୍ରତିଷ୍ଠାତା ।

487

କନକ ବ୍ୟୁରୋ : ସିସିଡିର କୋଟିପତି ଶିଳ୍ପପତି ଭିଜି ସିଦ୍ଧାର୍ଥଙ୍କୁ ନେଇ ହେଉଥିବା ଆଶା ଆଶଙ୍କାରେ ଯବନିକା ପଡିବା ପରେ ତାଙ୍କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଯେମିତି ସିସିଡିର ପ୍ରତିଷ୍ଠାତା ସିଦ୍ଧାର୍ଥ ଦୀର୍ଘ ବର୍ଷ ଧରି ଦରମା ବାବଦରେ ଟଙ୍କାଟିଏ ମଧ୍ୟ କମ୍ପାନୀଠାରୁ ନେଇନଥିଲେ । ଏପରିକି ତାଙ୍କ ପତ୍ନୀ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶିକା ମାଳବିକା ଏବଂ କେକେଆର ଇଣ୍ଡିଆ ସିଇଓ ସଂଜୟ ଓମପ୍ରକାଶ ନାୟର ମଧ୍ୟ କୌଣସି ଦରମା ନେଇନାହାନ୍ତି ।

ସାରା ଦେଶରେ କାଫେ କଫି ଡେ’ ପ୍ରତିଷ୍ଠା କରିଥିବା କର୍ଣ୍ଣାଟକର ବ୍ୟବସାୟୀ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ମୃତ୍ୟୁ ପୂର୍ବରୁ ମିଳିଥିବା ତାଙ୍କର ଶେଷ ଚିଠି ଅନୁଯାୟୀ ବିପରିତ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇ ଜୀବନ ହାରିଛନ୍ତି ଏହି ଶିଳ୍ପପତି । ନିଜର ବ୍ୟସାୟର ବିସ୍ତାର ପାଇଁ ସେ ନିଜର ସବୁକିଛି ବାଜି ଲଗାଇ ଦେଇଥିଲେ । ଏହାରି ମଧ୍ୟରେ ଏକ ତଥ୍ୟ ପଦାକୁ ଆସିଛି । ଗତ କିଛି ବର୍ଷ ହେଲା ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ, କାର୍ଯ୍ୟକାରୀ ନିର୍ଦ୍ଦେଶକ ତାଙ୍କ ପତ୍ନୀ ମାଳବିକା ହେଗଡେ ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶକ ମାନେ କମ୍ପାନୀଠାରୁ ଦରମା ବାବଦରେ ଟଙ୍କାଟିଏ ମଧ୍ୟ ନେଇନଥିଲେ ।

ଭିଜି ସିଦ୍ଧାର୍ଥ କମ୍ପାନୀର ପ୍ରମୋଟର ଭାବେ କାର୍ଯ୍ୟ କରୁଥିଲେ । ଏବଂ ୨୦୧୫-୧୬ ଓ ୨୦୧୭-୧୮ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ କମ୍ପାନୀଠାରୁ ଟଙ୍କାଟିଏ ମଧ୍ୟ ନେଇନଥିଲେ । ଏହାସହ ତାଙ୍କ ପତ୍ନୀ ମାଳବିକା ହେଗଡେ ଓ କେକେଆର ଇଣ୍ଡିଆ ସିଇଓ ସଂଜୟ ଓମପ୍ରକାଶ ନାୟର ମଧ୍ୟ କୌଣସି ଦରମା ନେଇନାହାନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଏକ କଥାକଥିତ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ ନିଜର ସମସ୍ତ ପ୍ରୟାସ ପରେ ବ୍ୟବସାୟକୁ ସଫଳ କରିପାରିନଥିବା ଉଲ୍ଲେଖ କରିଥିଲେ । ଏହି ଚିଠିରେ ସେ ଆୟକର ବିଭାଗର ଜଣେ ପୂର୍ବତନ ଅଧିକାରୀ ଓ ଜଣେ ନିବେଶକଙ୍କ ଦ୍ୱାରା ଚାପ ପ୍ରୟୋଗ କରାଯାଉଥିବା ଉଲ୍ଲେଖ କରିଥିଲେ ।

କର୍ଣ୍ଣାଟକ ଚିକମଙ୍ଗଲୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥ ମାଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ । ପୂର୍ବତନ ବିଦେଶ ମନ୍ତ୍ରୀ ଏସଏମ କ୍ରୀଷ୍ଣାଙ୍କ ଝିଅ ମାଳବିକାଙ୍କୁ ବିବାହ କରିଥିଲେ ସିଦ୍ଧାର୍ଥ । ୧୯୯୬ରେ ବାଙ୍ଗାଲୁରରେ ପ୍ରଥମ ସିସିଡିର ପ୍ରତିଷ୍ଠା କରିଥିଲେ ସିଦ୍ଧାର୍ଥ । ଏହି କନସେପ୍ଟ ଯୁବପୀଢୀଙ୍କ ମଧ୍ୟରେ ବେଶ ଗ୍ରହଣୀୟ ହୋଇଛି । ସାରା ଭାରତରେ ପ୍ରାୟ ୧୭୫୦ଟି ସିସିଡି ସେଂଟର ରହିଛି ।