ମେଣ୍ଢାଙ୍କୁ ମାରୁଛି କିଏ ! ନିଆଳିରେ କନକ ନ୍ୟୁଜର ‘ନାଇଟ୍ ଅପରେସନ୍’

178

କନକ ବ୍ୟୁରୋ : କଟକ ନିଆଳିରେ ଏକ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦେଢ ମାସ ମଧ୍ୟରେ ୩ଶହରୁ ଅଧିକ ମେଣ୍ଢାଙ୍କ ପେଟ କାଟି ଅନ୍ତବୁଜୁଳା ବାହାର କରିଦେଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେହି ଜାଣିନାହାଁନ୍ତି , ମେଣ୍ଢାଙ୍କୁ ମାରୁଛି କିଏ? କିଏ କହୁଛି ଅଜବ ଜୀବ ମେଣ୍ଢା ମାରି ଖାଉଛି ତ ଆଉ କିଏ କହୁଛି ହିଂସ୍ର ଜନ୍ତୁ ଆକ୍ରମଣ କରୁଛି । ଏସବୁ ଭିତରେ ସୋସିଆଲ୍ ମିଡିଆରେ ପ୍ରସାରିତ ଏକାଧିକ ଫଟୋ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ଏଭଳି ସ୍ଥିତିରେ ଘଟଣା ପଛର ସତ ଜାଣିବା ପାଇଁ କନକ ନ୍ୟୁଜ ଆରମ୍ଭ କରିଛି ପ୍ରୟାସ । ରାତି ତମାମ ଆମ କ୍ୟାମେରା ଟିମ୍ ନିଆଳିରେ ପରଖିଥିଲା ସ୍ଥିତି । ଆଉ ଯାହା ସବୁ ସାମ୍ନାକୁ ଆସିଲା ତାହା ଥିଲା ବେଶ ଆଶ୍ଚର୍ଯ୍ୟକର ।

ନିଆଳିରେ ପହଁଚିଲା ବେଳକୁ ପୁରା ନିଆଳିରେ ଥିଲା ଭୟର ବାତାବରଣ । ଘନ ଅନ୍ଧାକର ଭିତରେ ଟର୍ଚ୍ଚ ଓ ଲାଠି ଧରି ଗାଁରେ ପଇଁତରା ମାରୁଥିଲେ ଲୋକେ । ଗାଁମୁଣ୍ଡ ଠାରୁ ଗୁହାଳ ସବୁଠି ଜଗି ବିସିଥିଲେ ଗାଁର ପୁରୁଷ ଓ ମହିଳା । ଗତ ମାସକ ମଧ୍ୟରେ ନିଆଳିରେ ତିନି ଶହରୁ ଅଧିକ ମେଣ୍ଢା ମରିସାରିଲେଣି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମେଣ୍ଢାଙ୍କ ତଣ୍ଟି କଣା କରି ତାଙ୍କ କଲିଜାକୁ କିଏ ଖାଇଯାଉଛି ।

ନିଆଳି ଓ କଂଟାପଡାରେ ଏବେ ଲୋକଙ୍କ ନିଦ ହଜାଇ ଦେଇଛି ମେଣ୍ଢା ମଡକ । କିଏ ଓ କାହିଁକି ମେଣ୍ଢାଙ୍କୁ ମାରି ତାଙ୍କ ଅନ୍ତଃପୁଟୁଳା ବାହାର କରୁଛି? ତାକୁ ନେଇ ଆତଙ୍କିତ ନିଆଳୀବାସୀ । ଏସବୁ ଭିତରେ ନିଆଳି ନିକଟ କଂଟାପଡାରେ ଏକ ଅଜବ ଜୀବକୁ ଲୋକେ ଦେଖିଥିବା କହିଛନ୍ତି । ଏମିତିକି ଏହି ଜୀବଟି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବାର ଅଭିଯୋଗ ବି ହୋଇଛି । ଏଣୁ ରାତିର ଅନ୍ଧକାରକୁ ଭେଦି ଟର୍ଚ୍ଚ ଆଲୁଅରେ ଜଙ୍ଗଲ ଓ ବୁଦା ଭିତରେ ଅଜବ ଜୀବକୁ ଖୋଜି ବୁଲୁଛନ୍ତି ଗାଁ ଲୋକେ ।

ଏସବୁ ଭିତରେ ନିଆଳି ମୁଣ୍ଡାସାହିରେ ଦେଖିବାକୁ ମିଳିଥିଲା ଏକ ଜଙ୍ଗଲୀ ଜନ୍ତୁର ପାଦ ଚିହ୍ନ । କୁହାଯାଉଛି ଏହି ଜନ୍ତୁ ହିଁ ମେଣ୍ଢାଙ୍କୁ ମାରୁଛି ଓ ମଣିଷଙ୍କ ଉପରେ ଆକ୍ରମଣ କରୁଛି । ଶହ ଶହ ମେଣ୍ଢାଙ୍କ ମୃତ୍ୟୁ ପରେ ଏବେ ଗାଁରେ ଡେରା ପକାଇଛି ବନ ବିଭାଗ । ପ୍ରଶାସନ କହୁଛି ଜଙ୍ଗଲୀ ଜନ୍ତୁପଲ ଆକ୍ରମଣ କରୁଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି ହେଟା ବାଘ ଆକ୍ରମଣ କରିଥାଇପାରେ । ଜନ୍ତା ପକାଇ ଜନ୍ତୁକୁ ଧରିବାକୁ ରାତି ତମାମ ଚେଷ୍ଟା ବି କରାଯାଉଛି । କିନ୍ତୁ ଜଙ୍ଗଲୀ ଜନ୍ତୁ ଧରା ପଡିବା ତ ଦୂରର କଥା ତାର ଗତିବିଧିର ବି ପତା ମିଳୁନି ।

ନିଆଳିରେ କୋକୁଆ ଭୟ ଲୋକଙ୍କ ନିଦ ହଜାଇବା ପରେ ପୁରା ଅଂଚଳରେ ଜନ୍ତା ବିଛାଇ ଜଙ୍ଗଲୀ ଜନ୍ତୁଙ୍କୁ ଧରିବାକୁ ଯୋଜନା କରିଛି ପ୍ରଶାସନ । ଆଉ ସୋସିଆଲ ମିଡିଆରେ ଅପପ୍ରଚାର ଯୋଗୁଁ ଲୋକେ ଆତଙ୍କିତ ହେଉଥିବାରୁ ପୁରା ସ୍ଥିତିର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।