କଟକ ନିଆଳିରେ ମେଣ୍ଢାକୁ ମାରୁଛି କିଏ ? ଦ୍ୱିତୀୟ ଦିନରେ କନକ ନ୍ୟୁଜର ନାଇଟ୍ ଅପରେସନ

39

କନକ ବ୍ୟୁରୋ: ନିଆଳିରେ ଶହ ଶହ ମେଣ୍ଢା ମଡକ ସୃଷ୍ଟି କରିଛି କୋକୁଆ ଭୟ । କିଏ କହୁଛି ଅଜବ ଜୀବ ମେଣ୍ଡା ମାରୁଛି ତ କିଏ କହୁଛି ହିଂସ୍ର ଜନ୍ତୁ ଆକ୍ରମଣ କରୁଛି । ଏଭଳି ସ୍ଥିତିରେ ଘଟଣା ପଛର ସତ ଜାଣିବା ପାଇଁ କନକ ନ୍ୟୁଜ ଆରମ୍ଭ କରିଛି ପ୍ରୟାସ । ଲଗାତାର ଦ୍ୱିତୀୟ ଦିନରେ ନିଆଳିର ସତ ପରଖିଛି କନକ ନ୍ୟୁଜ । ମେଣ୍ଢା ମଡକର ସତ କଣ ତାହା ଜାଣିବାକୁ ପ୍ରୟାସ କରିଛି କନକ ନ୍ୟୁଜ । ଲୋକଙ୍କ କୋକୁଆ ଭୟର କାରଣ ଖୋଜିବାକୁ ମଝି ରାତିରେ ନିଆଳିରେ ପହଁଚିଥିଲା ଆମ ଟିମ ।

ଗାଁମୁଣ୍ଡ ଠାରୁ ଗୁହାଳ ସବୁଠି ଜଗି ବିସିଥିଲେ ଗାଁର ପୁରୁଷ ଓ ମହିଳା । ଗତ ମାସକ ମଧ୍ୟରେ ନିଆଳିରେ ତିନି ଶହରୁ ଅଧିକ ମେଣ୍ଢା ମରିସାରିଲେଣି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମେଣ୍ଡାଙ୍କ ତଂଟି କଣା କରି ରକ୍ତ ପିଇ ତାଙ୍କ କଲିଜାକୁ କିଏ ଖାଇଯାଉଛି । ନିଆଳି ଓ କଂଟାପଡାରେ ଏବେ ଲୋକଙ୍କ ନିଦ ହଜାଇ ଦେଇଛି ମେଣ୍ଢା ମଡକ । କିଏ ଓ କାହିଁକି ମେଣ୍ଢାଙ୍କୁ ମାରି ତାଙ୍କ ଅନ୍ତଃପୁଟୁଳା ବାହାର କରୁଛି? ତାକୁ ନେଇ ଆତଙ୍କିତ ନିଆଳୀବାସୀ ।

ଏସବୁ ଭିତରେ ନିଆଳି ନିକଟ କଂଟାପଡାରେ ଏକ ଅଜବ ଜୀବକୁ ଲୋକେ ଦେଖିଥିବା କହିଛନ୍ତି । ଏମିତିକି ଏହି ଜୀବଟି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବାର ଅଭିଯୋଗ ବି ହୋଇଛି । ଏଣୁ ରାତିର ଅନ୍ଧକାରକୁ ଭେଦି ଟର୍ଚ୍ଚ ଆଲୁଅରେ ଜଙ୍ଗଲ ଓ ବୁଦା ଭିତରେ ଅଜବ ଜୀବକୁ ଖୋଜି ବୁଲୁଛନ୍ତି ଗାଁ ଲୋକେ । ଏସବୁ ଭିତରେ ନିଆଳି ମୁଣ୍ଡାସାହିରେ ଦେଖିବାକୁ ମିଳିଛି ଜଙ୍ଗଲୀ ଜନ୍ତୁର ପାଦ ଚିହ୍ନ ।

କୁହାଯାଉଛି ଏହି ଜନ୍ତୁ ହିଁ ମେଣ୍ଢାଙ୍କୁ ମାରୁଛି ଓ ମଣିଷଙ୍କ ଉପରେ ଆକ୍ରମଣ କରୁଛି । ପୁରା ଅଂଚଳରେ ଜନ୍ତା ବିଛାଇ ଜଙ୍ଗଲୀ ଜନ୍ତୁଙ୍କୁ ଧରିବାକୁ ଯୋଜନା କରିଛି ପ୍ରଶାସନ । ଆଉ ସୋସିଆଲ ମିଡିଆରେ ଅପପ୍ରଚାର ଯୋଗୁଁ ଲୋକେ ଆତଙ୍କିତ ହେଉଥିବାରୁ ପୁରା ସ୍ଥିତିର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –