ଇତିହାସ ହୋଇଯିବନି ତ ହାତୀଙ୍କ ପ୍ରଜାତି ? ଅକାଳରେ ଯାଉଛି ଏକାଧିକ ହାତୀଙ୍କ ଜୀବନ ।

106

କନକ ବ୍ୟୁରୋ: ସାରା ଦେଶରେ ଏବେ ଗଜରାଜ ଅସୁରକ୍ଷିତ ଥିବାର ଘଟଣା ଦେଖିବାକୁ ମିଳିଛି । କେବେ ଟ୍ରେନ ଲାଇନରେ କଟି ତ କେବେ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଛନ୍ତି ଏକାଧିକ ହାତୀ । ପୁଣି କେବେ ଶିକାରୀ ହାତରେ ଯାଇଛି ଗଜରାଜଙ୍କ ଜୀବନ । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଢେଙ୍କାନାଳରେ ଘଟିଥିବା ଏକ ଅଭାବନୀୟ ଘଟଣା । ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ହୋଇଛି । ମୃତ ହାତୀ ଗୁଡିକ ନାଳରେ ପଡିଥିବା ଦେଖିବାକୁ ମିଳିଛି । ମୃତ୍ୟୁବରଣ କରିଥିବା ୭ଟି ହାତୀ ପଲ୍ହରେ ୧୩ଟି ହାତୀ ଥିବା ବେଳେ ତନ୍ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଏବେ ହାତୀ ସୁରକ୍ଷା ଉପରେ ବନ ବିଭାଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି ।

ଗତ ବର୍ଷ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା । ଯେଉଁଥିରେ ଅଧିକାଂଶ ସମୟରେ ହାତୀ ମଣିଷ ଲଢ଼େଇ ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏବଂ କେରଳ, କର୍ଣ୍ଣାଟକ ଓ ତାମିଲ ନାଡୁରେ ହାତୀମଣିଷ ଲଢ଼େଇ ସର୍ବାଧିକ ଥିବା ବେଳେ ଓଡିଶାରେ ୧୮୯ , ଝାଡ଼ଖଣ୍ଡରେ ୧୬୧, ଛତିଶଗଡରେ ୧୫୮ ଓ ଆସାମରେ ୧୫୪ ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତେବେ ଓଡିଶାରେ ବିଗତ ୩ ବର୍ଷ ମଧ୍ୟରେ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକି ପ୍ରମାଣ କରୁଛି ଓଡିଶାରେ ବି ସୁରକ୍ଷିତ ନୁହଁନ୍ତି ହାତୀ ।

ଅନ୍ୟପଟେ ରାଜ୍ୟରେ ବର୍ଷକୁ ପ୍ରାୟ ୬୩ଟି ହାତୀ ମୃତ୍ୟୁ ହେଉଥିବା ବେଳେ ହାତୀ ଆକ୍ରମଣରେ ୬୧ ଲୋକଙ୍କର ମୃତ୍ୟୁ ହେଉଥିବା ରେକର୍ଡ କରାଯାଇଛି । ସୂଚନା ମୁତାବକ ୨୦୧୭-୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ୧୪ଟି ହାତୀ ଅକାଳରେ ମୃତ ହୋଇଥିବାବେଳେ ଆଜି ପୁଣି ୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ୨୦୦୬-୦୭ରୁ ୨୦୧୬-୧୭ ମଧ୍ୟରେ ପ୍ରାୟ ୬୯୯ ହାତୀଙ୍କର ଜୀବନ ଯାଇଛି ଓଡ଼ିଶାରେ । ୨୦୧୭ ବର୍ଷ ରିପୋର୍ଟରେ ଢ଼େଙ୍କାନାଳ ଡିଭିଜନରେ ସର୍ବାଧିକ ୮୮ ହାତୀ ମୃତ୍ୟୁ ରେକର୍ଡ କରାଯାଇଥିଲା । ରେକର୍ଡ ହୋଇଥିବା ବେଳେ ଆଠଗଡ ଡିଭିଜନରେ ୭୨, ସିମିଳିପାଳ ଡିଭିଜନରେ ୬୦ ଓ କେନ୍ଦୁଝର ଡିଭିଜନରେ ୫୮ ହାତୀମୃତ୍ୟୁ ହୋଇଥିବା ରେକର୍ଡ କୁହାଯାଇଥିଲା । ସେହିଭଳି ବିଗତ ୧୧ବର୍ଷରେ ୬୭୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି ହାତୀ ଆକ୍ରମଣରେ । ଢ଼େଙ୍କାନାଳ ଡିଭିଜନରେ ୯୮, କେନ୍ଦୁଝର ଡିଭିଜନରେ ୯୩, ଅନୁଗୁଳ ଡିଭିଜନରେ ୪୮, ରାଉରକେଲା ଡିଭିଜନରେ ୫୩ ଓ ସୁନ୍ଦରଗଡ ଡିଭିଜନରେ ୫୭ଜଣଙ୍କ ଜୀବନ ଯାଇଛି କିନ୍ତୁ ହାତୀ ପଲ୍ହଙ୍କ ସୁରକ୍ଷା ପାଇଁ ଉଚିତ୍ ପଦକ୍ଷେପ ନ ନିଆଗଲେ ଅଗାମୀ ଦିନରେ ଏମାନେ କେବଳ ଇତିହାସ ପୃଷ୍ଠାରେ ହିଁ ମିଳିବେ ବୋଲି ପରିବେଶବିତ୍ ମାତେ ମତପ୍ରକାଶ କରିଛନ୍ତି ।