ଅବହେଳିତ ଯାଜପୁରର ଲାଙ୍ଗୁଡି ବୌଦ୍ଧ ବିହାର ! ୧୮ ବର୍ଷ ହେଲା ବନ୍ଦ ହୋଇଛି ଖନନ କାର୍ଯ୍ୟ, ମାଟିତଳେ ରହିଛି ଅନେକ ଭଗ୍ନାବଶେଷ

54

କନକ ବ୍ୟୁରୋ: ଅବହେଳିତ ଲାଙ୍ଗୁଡି ବୌଦ୍ଧ ବିହାର । ଦିନେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା ଏହି ପର୍ଯ୍ୟଟନ ସ୍ଥଳ । ୧୮ ବର୍ଷଧରି ଉତଖନନ କାର୍ଯ୍ୟ ବନ୍ଦଥିବାରୁ ମାଟିତଳେ ଥିବା ଅନେକ ଭଗ୍ନାବଶେଷକୁ ବାହାର କରାଯାଇପାରୁନାହିଁ । ଯାଜପୁର ଧର୍ମଶାଳା ବ୍ଲକରେ ଥିବା ଲାଙ୍ଗୁଡି ବୌଦ୍ଧ ବିହାରକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଉଦବେଗ ଦେଖାଦେଇଛି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡି ବୌଦ୍ଧ ବିହାର । କୁହାଯାଏ ଏହା ଅଢେଇ ହଜାର ବର୍ଷର ଇତିହାସ ବହନ କରେ । ଏଠାରୁ ମିଳିଥିବା ପ୍ରତ୍ନତାତ୍ୱିକ ଅବଶେଷ ଗୁଡିକ ବୁଦ୍ଧଦେବଙ୍କ ମହାପ୍ରୟାଣ ପରେ ନିର୍ମିତ ହୋଇଥିବା ଐତିହାସିକ ମତ ଦିଅନ୍ତି । ଏହା ଏବେ ଅବହେଳିତ ହୋଇପଡିଛି । ୨୦୦୫ ମସିହାରୁ ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ଏହାର ସୁରକ୍ଷା ଓ ପୁନଃଉଦ୍ଧାର ଦାୟିତ୍ୱ ନେଇଥିଲେ ମଧ୍ୟ ସଠିକ ଢଙ୍ଗରେ ଖନନ ହୋଇନଥିବାରୁ ଅନେକ ଇତିହାସ ଏବେବି ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ଏଏସଆଇ ପକ୍ଷରୁ ଏବେ ପାହାଡ ଚାରିପାଖେ କେବଳ ପାଚେରୀ ତିଆରି କାମ ହୋଇଛି ।

ଲାଙ୍ଗୁଡି ବୌଦ୍ଧ ବିହାରରୁ ମିଳିଥିବା ଭଗ୍ନାବଶେଷରୁ ବୌଦ୍ଧଧର୍ମର ଅକ୍ଷୋଭ, ଅମୋଘସିଦ୍ଧି, ବୈଲୋଚନ, ରତ୍ନସମ୍ଭବ ମୁର୍ତୀ ଗୁଡିକ ବଜ୍ରଜାନପନ୍ଥୀର ବୋଲି ଗବେଷଣାରୁ ଜଣାଯାଏ । ଉଦ୍ଧାର ହୋଇଥିବା ବୋ÷ଦ୍ଧ ମୂର୍ତୀ ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାର ଆଶଙ୍କାରେ ସେବୁକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତେବେ ପର୍ଯ୍ୟଟନର ବିକାଶପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ କହିଛନ୍ତି । ସେପଟେ ପୁନଃ ଖନନ ପାଇଁ ଏଏସଆଇକୁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।