ପର୍ଯ୍ୟଟକଙ୍କ ପାଇଁ ଅପହଂଚ ଦେବକୁଣ୍ଡ । ଗତ ଲଘୁଚାପ ବର୍ଷାରେ ଏଠାକୁ ଯିବା ପାଇଁ ଥିବା ରାସ୍ତା ଧୋଇଯିବା ପରେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।

92

ମୟୁରଭଂଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ଏବେ ପର୍ଯ୍ୟଟକଙ୍କ ପାଇଁ ଅପହଂଚ ହୋଇପଡିଛି । ଗତ ଲଘୁଚାପ ବର୍ଷା କାରଣରୁ ଏହି ପ୍ରାକୃତିକ ଶୋଭାରାଜିକୁ ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ ଏଠାରେ ପହଂଚି ପାରୁନାହାନ୍ତି । ଉଦଳା ବୁଡାମରାଠାରୁ ଦେବକୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଧୋଇଯାଇଛି । ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନକୁ ଉପଭୋଗ କରିବାକୁ ଆସୁଥିବା ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରୁଛନ୍ତି ।

ସୂଚନା ଅନୁଯୟୀ, ମୟୁରଭଂଜର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଦେବକୁଣ୍ଡ ଏକ ବିଶାଳ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିବାରୁ ସେଠାରେ ପହଞ୍ଚିବା ପାଇଁ ଲୋକମାନଙ୍କୁ ଚାଲି ଚାଲି ଜିବାକୁ ପଡିଥାଏ । ସାଧାରଣତଃ ଦେବକୁଣ୍ଡକୁ ଜିବା ପାଇଁ ପାହାଡକୁ କାଟି ରାସ୍ତା ତିଆରି ହୋଇଛି । ରାସ୍ତା ମାଟି ଏବଂ ଗୋଡିରେ ତିଆରି କରାଯାଇଛି । ଏଭଳି ପରିସ୍ଥିତିରେ ଲଘୁଚାପ ଏବଂ ଲଗାଣ ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହୁଥିବାରୁ ଦେବକୁଣ୍ଡରେ ପହଞ୍ଚିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ପ୍ରାକୃତିକ ଶୋଭାରାଜି ପାଇଁ ପ୍ରସିଦ୍ଧ ଦେବକୁଣ୍ଡ । ବାରିପଦା ଠାରୁ ୬୦ କିଲୋମିଟର ଏବଂ ବାଲେଶ୍ୱର ଠାରୁ ୮୫କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥଳ । ଏଠାରେ ଅମୃତ କୁଣ୍ଡ, ଘୃତ କୁଣ୍ଡ, ହଳଦୀ କୁଣ୍ଡ, ଦେବ କୁଣ୍ଡ ଓ ଦେବୀ କୁଣ୍ଡ ନାମରେ ୫ଟି ଝରଣା ରହିଛି । ଏଠାରେ ପ୍ରାୟ ୫୦ଫୁଟ ଉପରୁ ଝରଣା ପାଣି ଝରି ଆସୁଛି । ଏଠାରେ ମା ଅମ୍ବିକାଙ୍କ ଏକ ଶକ୍ତିପୀଠ ମଧ୍ୟ ରହିଛି । ତେଣୁ ଅନେକ ଦୁର ଦୁରାନ୍ତରରୁ ପର୍ଯ୍ୟଟକମାନେ ଏହାର ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ପାଇଁ ଏଠାକୁ ଧାଇଁ ଆସିଥାନ୍ତି ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଘଂଚ ଜଙ୍ଘଲ ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନକୁ ଯିବା ପାଇଁ ରାସ୍ତା ମରାମତି କରିବା ଲାଗି ଦାବି ହେଉଛି । ଯଦି ଆବଶ୍ୟକ ମୁତାବକ ଦାବି ପୁରା ହୁଏ ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସୁନ୍ଦର ସ୍ଥାନକୁ ଉପଭୋଗ କରିପାରିବେ ।