ଚାଷୀଙ୍କ ଉପରେ ଅମାନୁଷିକ ଲାଠିଚାର୍ଜ କରିବାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ ! ଭିଡିଓ ସେୟାର୍ କରି ଯୋଗୀ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ମହାସଚିବ
ଉନ୍ନାଓରେ ଚାଷୀଙ୍କ ଉପରେ ପୋଲିସର ଅତ୍ୟାଚାର । ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପ୍ରତି ବିରୋଧୀ ଦଳ ପକ୍ଷରୁ ନାରାବାଜି ଆରମ୍ଭ ହୋଇଯାଇଛି । କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ପୋଲିସର ବର୍ବରତାକୁ ନେଇ ଯୋଗୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେ ପୋଲିସ କାର୍ଯ୍ୟାନୁଷ୍ଠାନର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଭିଡିଓରେ ପୋଲିସକର୍ମୀ ଚାଷୀମାନଙ୍କୁ ଅମାନୁଷିକ ଭାବେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉନ୍ନାଓରେ ଉତ୍ତର ପ୍ରଦେଶ ରାଜ୍ୟ ଔଦୋଗିକ ବିକାଶ ନିଗମର ଟ୍ରାନ୍ସ ଗଙ୍ଗା ସିଟି ଯୋଜନା ମୁତାବକ, ଚାଷୀଙ୍କ ଜମିକୁ ୨୦୦୫ ରେ ଅଧିଗୃହିତ କରାଯାଇଥିଲା । କିନ୍ତୁ ଚାଷୀମାନଙ୍କ କହିବାନୁସାରେ, ଜମି ଅଧିଗ୍ରହଣ ସର୍ତ୍ତ ମୁତାବକ ଯେତିକି ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା, ସେତିକି ପ୍ରାପ୍ୟ ସେମାନଙ୍କୁ ମିଳିପାରି ନାହିଁ । ଯାହା ଫଳରେ ସେମାନେ ଲଗାତାର ଭାବେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ୨୦୦୩ ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ମୁଲାୟନ ସିଂହ ଯାଦବଙ୍କ କାର୍ଯ୍ୟକାଳ ସମୟରେ ଟ୍ରାନ୍ସ ଗଙ୍ଗା ହାଇ ଟେକ ଯୋଜନା କରାଯାଇଥିଲା । ଏହି ଘଟଣାକୁ ନେଇ କିଛି ଦିନ ହେବ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ । ପରେ ପୋଲିସ ଏହି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ପରିସ୍ଥିତି ଆହୁରି ଗମ୍ଭୀର ହେବାରୁ ପୋଲିସ ଚାଷୀଙ୍କ ଉପରେ ଲାଠି ଚାର୍ଚ୍ଚ କରିଥିଲା । ବିକ୍ଷୋଭ ପ୍ରଦର୍ଶନକାରୀମାନେ ଜେସିବି ଏବଂ ଗାଡିଗୁଡିକ ଉପରକୁ ପଥର ଫୋପାଡିବାକୁ ପଛାଇ ନଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ ଟି ଥାନାର ପୋଲିସଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଥିଲା । ଏଥି ସହିତ ସିଟି ମାଜିଷ୍ଟ୍ରେଟ ନେତୃତ୍ୱରେ ତହସିଲ ବିଭାଗର ଅଧିକାରୀ ମଧ୍ୟ ସେଠାରେ ପହଁଚିଥିଲେ ।
ସୂଚନାନୁସାରେ, ଶନିବାର ପ୍ରଶାସନ ପକ୍ଷରୁ ଚାଷୀଙ୍କ ଜମି ଉପରେ ଜେସିବି ଚଲାଇବା ପରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଚାଷୀ ରାଗିଯାଇ ଜେସିବି ଉପରକୁ ପଥର ଫୋପାଡିବା ଆରମ୍ଭ କରିଦେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ସୁଧୁରି ନଥିବା ବେଳେ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।