ରୋଗ ନା ଅଭିଶାପ : ଅଜଣା ରୋଗ କବଳରେ ଯାଜପୁର ଜିଲ୍ଲା ସୁକିନ୍ଦାର ପାହାଡି ଗାଁ ନଗଡା

52

ଯାଜପୁର : ଅଜଣା ରୋଗ କବଳରେ ଯାଜପୁର ଜିଲ୍ଲା ସୁକିନ୍ଦାର ପାହାଡି ଗାଁ ନଗଡା । ପୂରା ଗାଁରେ ଏବେ କୋକୁଆ ଭୟ । ମାସକ ମଧ୍ୟରେ ଗଲାଣି ୧୯ ଶିଶୁଙ୍କ ଜୀବନ । ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୨୦ ଶିଶୁ । ସମସ୍ତଙ୍କ ବୟସ ତିନିରୁ ୮ ମାସ ଭିତରେ । ଶିଶୁ ମୃତ୍ୟୁ ପଛର ସଠିକ୍ କାରଣ ଏବେବି ଜଣାପଡୁନି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୫ ଜଣ ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ତେବେ ମ୍ୟାଲେରିଆ ଓ ପୁଷ୍ଟିହୀନତା କାରଣରୁ ଶିଶୁଙ୍କର ମୃତ୍ୟୁ ହେଉଥିବା କହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ସାତକୁଲିଆ ପାହାଡ ଉପରେ ଥିବା ଏହି ଗାଁକୁ ଆଜିସୁଦ୍ଧା ଶିକ୍ଷା, ସ୍ୱାସ୍ଥ୍ୟ କି ଗମନାଗମନର କୌଣସି ବ୍ୟବସ୍ଥା ପଂହଚିପାରିନିି । ବଣ ଜଂଗଲ ଭିତରେ ଏମାନେ ଜୀବନ କାଟୁଛନ୍ତି । ଗାଁରେ ଜୁଆଙ୍ଗ ସଂପ୍ରଦାୟର ଅଧିବାସୀ ବାସ କରୁଛନ୍ତି ଯେଉଁମାନେ ବିକାଶ ଠାରୁ ବହୁଦୂରରେ । ଗ୍ରାମବାସୀଙ୍କ ପାଇଁ ବିରାଟ ସମସ୍ୟା ହେଉଛି ଖାଦ୍ୟଭାବ। ତେବେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାଳିଆପାଣିଠାରେ ସମୀକ୍ଷା ବୈଠକ କରିଛନ୍ତି । ଏହାସହ ରନ୍ଧାଖାଦ୍ୟ ଗାଁକୁ ପଠାଇଛନ୍ତି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।