ପାରାଦୀପରେ ସନ୍ଦିଗ୍ଧ ଯୁବକ: ତଟରକ୍ଷୀ କାର୍ଯ୍ୟାଳୟର କଡ଼ା ସୁରକ୍ଷାକୁ ଭେଦ କରି ପ୍ରବେଶ କରୁଥିବା ଜଣେ ଯୁବକକୁ ଧରିଲା ପୁଲିସ

ଯୁବକଙ୍କ ନିକଟରୁ ୨୦ଟି ପେନଡ୍ରାଇଭ୍ ଉଦ୍ଧାର

201

କନକ ବ୍ୟୁରୋ: ପାରାଦୀପ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟର କଡ଼ା ସୁରକ୍ଷାକୁ ଭେଦ କରି ଜଣେ ସନ୍ଦିଗ୍ଧ ଯୁବକ ପ୍ରବେଶ କରିଛନ୍ତି। ଉତ୍ତରପ୍ରଦେଶରୁ ଆସିଥିବା ଏହି ଯୁବକ ନିଜକୁ ଜ୍ୟାକେଟ ବେପାରୀ ବୋଲି କହୁଥିବାବେଳେ ୨୦ଟି ପେନଡ୍ରାଇଭ୍ ଉଦ୍ଧାର ହେବା ତାଙ୍କୁ ସନ୍ଦେହ ଘେରକୁ ଆଣିଛି। ତେବେ, ଶେଷ ଖବର ସୁଦ୍ଧା ତାଙ୍କର ଅପରାଧିକ ସମ୍ପର୍କ ନେଇ ପୁଲିସକୁ କୌଣସି ତଥ୍ୟ ମିଳିନାହିଁ।

ଏହି ଯୁବକ ନିଜକୁ ମହମ୍ମଦ ସାଓଏଜ୍ ବୋଲି ପରିଚୟ ଦେଇଛନ୍ତି। ଘର ଉତ୍ତର ପ୍ରଦେଶର ମୁଜାଫରନଗର। ବୁଧବାର ରାତିରେ ସାଓଏଜ୍ ତଟରକ୍ଷୀ ବାହିନୀ କାର‌୍ୟ୍ୟାଳୟ ଫାଟକ ଡେଇଁ ଭିତରକୁ ଚାଲି ଯାଇଥିଲେ। ଫାଟକରେ ବସିଥିବା ସୁରକ୍ଷା କର୍ମୀଙ୍କର ମଧ୍ୟ ତାଙ୍କ ଉପରେ ସନ୍ଦେହ ହୋଇନଥିଲା। ଫଳରେ ସାଓଏଜ୍ ତଟରକ୍ଷୀ ବାହିନୀ କାର‌୍ୟ୍ୟାଳୟ ମଧ୍ୟରେ ପ୍ରବେଶ କରି ଭିତରେ ବୁଲାବୁଲି କରିଥିଲେ। ଏହି ସମୟରେ ସିସିଟିଭି ଦାୟିତ୍ବରେ ଥିବା ସୁରକ୍ଷା କର୍ମଚାରୀଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେ ତୁରନ୍ତ ସେଠାରେ ପହଞ୍ଚି ସାଓଏଜ୍ଙ୍କୁ ପଚରାଉଚରା କରିଥିଲେ। ମାତ୍ର ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସେ ଉପରିସ୍ଥ କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ ସାଓଏଜଙ୍କୁ ତଟରକ୍ଷୀ ବାହିନୀର ଉପରିସ୍ଥ ଅଧିକାରୀମାନେ ଦୀର୍ଘ ସମୟ ଜେରା କରିବା ପରେ ପାରାଦୀପ ଥାନାକୁ ହସ୍ତାନ୍ତର କରିଥିଲେ।

ସାଓଏଜ୍ କେନ୍ଦ୍ରାପଡ଼ାରେ ଘର ଭଡ଼ା ନେଇ ରହୁଛନ୍ତି। ପ୍ରତ୍ୟେକ ଦିନ ପାରାଦୀପକୁ ଆସି ସେ ଜ୍ୟାକେଟ୍ ବିକ୍ରି କରନ୍ତି। ମାତ୍ର ତାଙ୍କ ନିକଟରେ ଥିବା ୨୦ଟି ପେନଡ୍ରାଇଭକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ ଏହି ପେନଡ୍ରାଇଭ୍ ଗୁଡ଼ିକୁ ବିକ୍ରି କରିବା ପାଇଁ ରଖିଛି ବୋଲି ସାଓଏଜ୍ ନିଜ ବୟାନରେ ପୁଲିସକୁ କହିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କହିବା ଅନୁଯାୟୀ, ଉତ୍ତର ପ୍ରଦେଶରୁ ବହୁ ଯୁବକ ଏଠାକୁ ଜ୍ୟାକେଟ୍ ବିକ୍ରି କରିବା ପାଇଁ ଆସିଛନ୍ତି। ଖୁବଶୀଘ୍ର ଘଟଣାକୁ ନେଇ ସବୁକିଛି ସ୍ପଷ୍ଟ ହୋଇଯିବ। ଅନ୍ୟପକ୍ଷରେ, ଏହି ଘଟଣା ପରେ ତଟରକ୍ଷୀ ବାହିନୀର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।