ନଇ ମଝିରେ ଶୁଭିଲା ଅଜଣା ଝିଅର କରୁଣ ଚିତ୍କାର : ଯାଜପୁର ଖରସ୍ରୋତା ନଦୀରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦୁର୍ବୃତ୍ତ

28

ରାତି ଅଧରେ ଯୁବତୀଙ୍କୁ ନଦୀକୁ ଠେଲିଦେଲେ । ପାଣି ଭିତରେ ଯେତେ ଚିତ୍କାର କଲେ ବି ଯୁବତୀଙ୍କୁ ଉଦ୍ଧାର କରାଯାଇପାରିଲା ନାହିଁ । ନଇ ଭିତରେ ଏବେ ବି ଓଡ୍ରାଫ୍ ଟିମ୍ ସନ୍ଧାନ ଜାରି ରଖିଛି । ତେବେ ଯୁବତୀଙ୍କ ପତା ମିଳିନି । ଯାଜପୁରରେ ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଯୁବତୀଙ୍କୁ କିଏ ଓ କାହିଁକି ନଦୀକୁ ଠେଲିଦେଲା, ତାର ଟେର୍ ପାଇପାରିନି ପୋଲିସ । ନଇ ଭିତରୁ ଶୁଭୁଥାଏ ଜଣେ ଯୁବତୀଙ୍କ ଚିତ୍କାର । ଗଭୀର ଜଳରେ ଉବୁଟୁବୁ ହେଉଥାନ୍ତି ଯୁବତୀ । ବଂଚାଇବାକୁ ବାରମ୍ବାର ଚିତ୍କାର କରୁଥାନ୍ତି । ବିଳମ୍ବିତ ରାତିରେ ଯୁବତୀଙ୍କ ଚିତ୍କାର ଶୁଣିଥିଲେ ସେଠାରେ ପାଟ୍ରୋଲିଂ କରୁଥିବା ପୋଲିସ । ବ୍ରିଜ ଉପରୁ ଦେଖିଥିଲେ ଯୁବତୀ ଜଣକ ନଇର ଅକାତ ପାଣିରେ ବୁଡି ରହିଛନ୍ତି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଆରମ୍ଭ ହେଲା ଉଦ୍ୟମ । ହେଲେ ସେତେବେଳକୁ ପାଣି ଭିତରେ ଭାସିଯାଇଥିଲେ ଯୁବତୀ ।

ଅଧରାତିରେ ନଦୀରେ କେମିତି ବୁଡିଲେ ଯୁବତୀ ? ଆତ୍ମହତ୍ୟା କରିବାକୁ ନିଜେ ଡେଇଁଥିଲେ ନା ନଦୀକୁ ଠେଲି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା? ତେବେ ଯୁବତୀ ପାଣି ଭିତରୁ ବଂଚାଇବାକୁ ବାରମ୍ବାର ଚିକ୍ରାର କରୁଥିବାରୁ ତାଙ୍କୁ କେହି ଠେଲିଦେଇଥିବା ସନ୍ଦେହ କରୁଛି ପୋଲିସ । ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଚେଷ୍ଟା କରୁଥିଲେ ବି ଏଯାଏଁ ଯୁବତୀଙ୍କ କୌଣସି ଖୋଜଖବର ମିଳିନି ।

ପ୍ରେମ ଜନିତ ଘଟଣାକୁ ନେଇ ଯୁବତୀଙ୍କୁ ନଇକୁ ଫିଙ୍ଗି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ଏପରିକି ଦୁଷ୍କର୍ମ ପରେ ତାଙ୍କୁ ନଦୀକୁ ଠେଲି ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ମଧ୍ୟ ସଂଦେହ ରହିଛି । ସ୍ଥାନୀୟ ଥାନାରେ ମଧ୍ୟ କୌଣସି ଯୁବତୀଙ୍କ ନିଖୋଜ ନେଇ ଅଭିଯୋଗ ହୋଇନଥିବାରୁ ଯୁବତୀ ବାହାର ରାଜ୍ୟର ହୋଇଥିବା ଆଶଙ୍କା କରାଯାଉଛି ।