ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାବଦରେ କିଛି ଅଜଣା କଥା । ଜାଣନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କଣ କଣ ସୁବିଧା ରହିଥାଏ ?

2,036

ଦ୍ୱିତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତା ୩୦ ତାରିଖରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ । ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ରହିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ବାବଦରେ ଜାଣିବା ପାଇଁ ସମସ୍ତଙ୍କର ଉତ୍ସାହ ରହିଥାଏ । ପ୍ରଧାନମନ୍ତ୍ରୀଙ୍କ ବାସଭବନ କିଭଳି ହୋଇଥାଏ ଓ ଏଠାରେ କେଉଁ ପ୍ରକାର ସୁବିଧା ଉପଲବ୍ଧ ରହିଥାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଭାରତର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲୋକ ଜନନାୟକ ମାର୍ଗରେ ଥିବା ୭ ନମ୍ବର ବଙ୍ଗଳା । ପୂର୍ବରୁ ଏହା ୭ ରେସ କୋର୍ସ ରୋଡ ଭାବେ ଜଣାଶୁଣା ଥିଲା । ଏବେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାସଭବନର ପ୍ରକୃତ ନାଁ ପଞ୍ଚବଟୀ । ୫ଟି ବଙ୍ଗଳାକୁ ନେଇ ଏହି ବାସଭବନ ତିଆରି ହୋଇଥିବାରୁ ଏହାର ନାମକରଣ ଏଭଳି କରାଯାଇଛି ।

୧୨ ଏକର ଜମିରେ ଏହି ବାସଭବନର ନିର୍ମାଣ କରାଯାଇଛି । ଏହାର ନିର୍ମାଣ ୧୯୮୦ରେ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ, ସୁରକ୍ଷା ପ୍ରତିଷ୍ଠାନ, ଗେଷ୍ଟ ହାଉସ ମଧ୍ୟ ରହିଛି । ଏବେ ୫ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ରହୁଥିବା ବେଳେ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । ସେହିଭଳି ୯ ନମ୍ବର ବଙ୍ଗଳାରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଏସପିଜି ସୁରକ୍ଷା ବାହିନୀ ରହିଥାନ୍ତି । ୩ ନମ୍ବର ବଙ୍ଗଳାରେ ଗେଷ୍ଟହାଉସ ରହିଥିବା ବେଳେ ଏହା ମଧ୍ୟରେ ଏକ ଟେନିସ କୋର୍ଟ ମଧ୍ୟ ରହିଛି । ସେହିଭଳି ବଙ୍ଗଳା ନମ୍ବର ୧ରେ ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ନିମନ୍ତେ ଏକ ହେଲିପ୍ୟାଡ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ସର୍ବଦା କଡା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଥାଏ । ୭ ଲୋକ କଲ୍ୟାଣ ମାର୍ଗରେ କେବଳ ଗୋଟିଏ ମାତ୍ର ପ୍ରବେଶ ଦ୍ୱାର ରହିଛି । ଆଉ ଏଠାରେ ମଧ୍ୟ ଏସପିଜି କମାଣ୍ଡୋ ମାନେ ଜଗି ରହିଥାନ୍ତି । ଏହି ବଙ୍ଗଳାର ସବୁଠୁ ଖାସ୍ କଥା ହେଲା, ଏହି ବଙ୍ଗଳାରେ ୨ କିଲୋମିଟର ପର୍ଯ୍ୟନ୍ତ ସୁଡଙ୍ଗ ରହିଛି ଯାହାକୁ ସଫଦରଜଙ୍ଗ ବିମାନବନ୍ଦର ସହ ଯୋଡା ଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନେକ ସୁବିଧା ରହିଛି । ଏଠାରେ ଏକ ପାୱାର ଷ୍ଟେସନ ରହିଥିବା ବେଳେ ଏମ୍ସର ଡାକ୍ତର ଓ ନର୍ସ ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି । ଏହାଛଡା ବାସଭବନରେ ଏକ ଆମ୍ବୁଲାନ୍ସ ଓ ବିଏମଡବ୍ଲୁ ମଧ୍ୟ ରହିଛି । ଏହି ସବୁ ସୁବିଧା ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନର ନକ୍ସା ରବର୍ଟ ଟୋର ରସେଲ ଡିଜାଇନ କରିଥିଲେ ।