ବାର୍ଥଡେ ବିଉଟି ମୁମତାଜ୍ ! ଅନିଚ୍ଛା ସତ୍ତ୍ୱେ ନାୟିକା ନମ୍ବର ୱାନ୍ . . ଜାଣନ୍ତୁ ବଲିଉଡରୁ ବିବାହ ପର୍ଯ୍ୟନ୍ତର ଯାତ୍ରା

87

ନିଜ ମତୁଆଲା ଅନ୍ଦାଜରେ ନାକେବଳ ବଲିଉଡ୍ ବରଂ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ ଅଭିନେତ୍ରୀ ମୁମତାଜ୍ । ଆଜି ହେଉଛି ବିଗତ ଦିନର ଏହି ଚୁଲବୁଲୀ ନାୟିକାଙ୍କ ଜନ୍ମଦିନ । ୧୯୪୭ ମସିହା ଆଜିର ଦିନରେ ମୁମ୍ବାଇର ଏକ ମୁସଲମାନ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୁମତାଜ୍ । ତେବେ ଜାଣନ୍ତୁ ବଲିଉଡରୁ ବିବାହ ପର୍ଯ୍ୟନ୍ତ ମୁମତାଜଙ୍କ ଜୀବନ ଯାତ୍ରା ।

ବାଧ୍ୟ ବାଧକତାରେ ବଲିଉଡରେ ରଖିଥିଲେ ପାଦ :
୬୦ ଏବଂ ୭୦ ଦଶକରେ ଜଣେ ଆଗଧାଡିର ନାୟିକା ଥିଲେ ମୁମତାଜ୍ । ଅନେକ ସିନେମାରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ସିନେମାରେ ଅଭିନୟ କରିବାକୁ ମୁମତାଜଙ୍କ ଇଛା ନଥିଲା । କିନ୍ତୁ ପରିବାରର ସମସ୍ୟାକୁ ଆଖି ଆଗରେ ରଖି ସେ ବାଧ୍ୟ ହୋଇ ମାତ୍ର ୧୨ ବର୍ଷ ବୟସରେ ବଲଉଡରେ ପାଦ ରଖିଥିଲେ । ନିଜ ସାନ ଭଉଣୀ ମଲ୍ଲିକାଙ୍କ ସହ ସେ ପ୍ରତିଦିନ ଷ୍ଟୁଡିଓର ଚକ୍କର କାଟୁଥିଲେ । ଯେତେବେଳେ ସୁଯୋଗ ମିଳୁଥିଲା ଛୋଟ ମୋଟ ଭୂମିକାରେ ଅଭିନୟ ପାଇଁ କାମ ମାଗୁଥିଲେ ।

ମା’ ପ୍ରଥମରୁ ହିଁ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ :
ମୁମତାଜଙ୍କ ମା’ ବହୁ ପୂର୍ବରୁ ଏହି ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ । କିନ୍ତୁ ସେ ଜଣେ ଜୁନିୟର୍ ଆର୍ଟିଷ୍ଟ ହୋଇଥିବାରୁ ଝିଅ ମୁମତାଜଙ୍କ ପାଇଁ କାହା ଆଗରେ ସୁପାରିଶ୍ କରିପାରୁନଥିଲେ । ହେଲେ ମୁମତାଜ୍ ମନେ ମନେ ଦୃଢ ସଂକଳ୍ପ କରିଥିଲେ ଜୁନିୟର୍ ଆର୍ଟିଷ୍ଟରୁ ଦିନେ ବଡ଼ ଷ୍ଟାର୍ ହେବେ । ଆଉ ନିଜ ପରିଶ୍ରମ ଯୋଗୁଁ ଏହି ସ୍ୱପ୍ନରେ ଡେଣା ଲଗାଇପାରିଥିଲେ ମୁମତାଜ୍ । ସେହି ସମୟର ଯେଉଁ ବଡ଼ ବଡ଼ ଅଭିନେତ୍ରୀ ମୁମତାଜଙ୍କ ନାଁ ଶୁଣି ମୁହଁ ବୁଲାଇଦେଉଥିଲେ ସେହିମାନେ ହିଁ ତାଙ୍କ ସହ କାମ କରିବାକୁ ବ୍ୟାକୁଳ ହୋଇଥିଲେ ।

ସବୁ ସୁପରଷ୍ଟାରଙ୍କ ସହ କରିଛନ୍ତି କାମ :
ଦାରା ସିଂହ ଠାରୁ ଆରମ୍ଭ କରି ଦିଲ୍ଲୀପ୍ କୁମାର୍ ଯାଏଁ ପ୍ରାୟ ସମସ୍ତ ବଡ଼ ବଡ଼ ଷ୍ଟାରମାନଙ୍କ ସହ ଅଭିନୟ କରିଛନ୍ତି ମୁମତାଜ୍ । କିନ୍ତୁ ରାଜେଶ୍ ଖାନ୍ନାଙ୍କ ସହ ତାଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା । ଏପରିକି ଏହି ଯୋଡି ଅଭିନୀତି ସିନେମା ଦେଖିବାକୁ ସିନେମାଘରେ ଦର୍ଶକଙ୍କ ଭିଡ ଲାଗୁଥିଲା । ୧୯୬୯ରୁ ୧୯୭୪ ମଧ୍ୟରେ ଅନେକ ହିଟ୍ ସିନେମା ଦେଇଛନ୍ତି ଏହି ଯୋଡି । ଯାହା ଭିତରେ ଅଛି ସଚ୍ଚା ଝୁଟ୍, ଅପନା ଦେଶ୍, ବନ୍ଧନ ଏବଂ ରୋଟି, ଏବଂ ଦୋ ରାସ୍ତେ ।

ସମ୍ମି କପୁର ବିବାହ ପାଇଁ କରିଥିଲେ ପ୍ରପୋଜ୍ :
ମାତ୍ର ୧୮ବର୍ଷ ବୟସରେ ମୁମତାଜଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସମ୍ମି କପୁର୍ । ମୁମତାଜ୍ ବି ସମ୍ମିଙ୍କୁ ପ୍ରେମ କରୁଥିଲେ । କିନ୍ତୁ ସମ୍ମି ଚାହୁଁଥିଲେ ମୁମତାଜ୍ ଫିଲ୍ମି କ୍ୟାରିୟର୍ ଛାଡି ତାଙ୍କୁ ବିବାହ କରି ଘରେ ରହିବାକୁ । ଯେଉଁଥିରେ ମୁମତାଜ୍ ଅରାଜି ହେବାରୁ ଉଭୟଙ୍କ ସଂପର୍କ ଭାଙ୍ଗି ଯାଇଥିଲା ।

ମୁମତାଜଙ୍କ ବିବାହ :
୧୯୭୪ରେ ବ୍ୟବସାୟୀ ମୟୁର ମାଧୱାନୀଙ୍କୁ ବିବାହ କରି ଲଣ୍ଡନ ଚାଲିଯାଇଥିଲେ । କିନ୍ତୁ ଯେମିତି ପୂର୍ଣ୍ଣମୀ ପରେ ଅମାବାସ୍ୟା ଆସିଥାଏ ସେମିତି ମୁମତାଜଙ୍କ ଜୀବନରେ ମଧ୍ୟ ମାଡିଆସିଥିଲା ଅନ୍ଧାର ।

କ୍ୟାନ୍ସରର ହୋଇଥିଲେ ଶିକାର :
ମୁମତାଜ୍ ସ୍ତନ କର୍କଟର ଶିକାର ହୋଇଥିଲେ , ଯାହା ବିଷୟରେ ସେ ବହୁତ ଡେରିରେ ଜାଣିବାକୁ ପାଇଥିଲେ । ତେବେ କେମୋଥେରାପି ସମୟରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା । ଏହି ସମୟରେ ତାଙ୍କର ସମସ୍ତ କେଶ ଝଡିଯାଇଥିଲା । ଏପରିକି ତାଙ୍କ ଭ୍ରୁଲତା ଏବଂ ଆଖି ପଲକର ଚୁଟି ମଧ୍ୟ ଝଡିଯାଇଥିଲା । ଭୟରେ ଘରୁ ବାହାରକୁ ଯାଇପାରୁନଥିଲେ ମୁମତାଜ୍ । ତେବେ ମୁଣ୍ଡରୁ ସମସ୍ତ କେଶ ଝଡି ଯାଇଥିବାରୁ ସେ ବାଧ୍ୟ ହୋଇ ନକଲି ଚୁଟି ବ୍ୟବହାର କରୁଥିଲେ । ତେବେ କର୍କଟ ସହ ସଘର୍ଷରେ ଶେଷରେ ମୁମତାଜଙ୍କର ବିଜୟ ହୋଇଥିଲା । ନିକଟରେ ମୁମତାଜଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ହେଲେ ଏଥିରେ ତାଙ୍କୁ ଚିହ୍ନିବା କଷ୍ଟକର ଥିଲା । କାରଣ କର୍କଟ ଯୋଗୁଁ ଖାଇଥିବା ମେଡିସିନ୍ ପ୍ରଭାବରେ ଟିକିଏ ମୋଟା ହୋଇଯାଇଛନ୍ତି ମୁମତାଜ୍ ।