ମାଲକାନଗିରିରୁ ପୁଣି ଆସିଲା ଅଭାବନୀୟ ଖବର । ଅଜଣା ରୋଗ ବଢାଉଛି ଭୟ, ସଂକ୍ରମଣ ଯୋଗୁଁ ଅସୁସ୍ଥ ହେଲେ ୨୭ ଶିଶୁ ।

158

କନକ ବ୍ୟୁରୋ : ଗତକିଛି ଦିନ ତଳେ ମାଲକାନଗିରିରେ ୬ଜଣ ନବଜନ୍ମିତ ଶିଶୁଙ୍କ ମୃତ୍ୟୁ ଖବର ଚିନ୍ତା ବଢାଇଥିଲା । ଆଉ ବର୍ତ୍ତମାନ ପୁଣିଥରେ ମାଲକାନଗିରିରେ ପୁଣିଥରେ ୨୭ଜଣ ଶିଶୁ ଅସୁସ୍ଥ ହୋଇଯିବା ପରେ ବଢିଯାଇଛି ଅଜଣା ରୋଗର ଆତଙ୍କ । କାଲିମେଳାର କଟାନପାଲି ଗାଁରେ ଦେଢରୁ ଦୁଇ ବର୍ଷ ବୟସର ଅନେକ ଶିଶୁ ଅସୁସ୍ଥ ହୋଇଯାଇଛନ୍ତି । ପ୍ରଥମେ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଶିଶୁ ମାନଙ୍କୁ ନିଆଯାଇଥିବା ବେଳେ, ଅଧିକ ଚିକିତ୍ସା ପାଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେମାନଙ୍କୁ ନିଆଯାଇଛି । ଶିଶୁ ରୋଗ ବିଶେଷଜ୍ଞ ପିଲାଙ୍କର ରକ୍ତ ନମୁନା ସଂଗ୍ରହ କରି ଚିକିତ୍ସା ଆରମ୍ଭ କରିଛନ୍ତି ।

ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଥିବା ଏହି ଦୃଶ୍ୟ ହିଁ ବୟାନ କରୁଛି ଯେ ସ୍ଥିତି କେତେ ଜଟିଳ । ଛୋଟ ଛୋଟ ପିଲାଙ୍କୁ ଧରି ମାଆ ମାନେ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ମାଲକାନଗିରି କାଟନପାଲି ଗାଁର ୨୭ଜଣ ଶିଶୁ ଏକାଥରକେ ଅସୁସ୍ଥ ହୋଇପଡିଛନ୍ତି । ଥଣ୍ଡା, କାଶ, ସର୍ଦ୍ଦି ସହ ପେଟ ଫୁଲିବା ଓ ଝାଡା ହେବା ଭଳି ଲକ୍ଷ୍ୟଣ ଶିଶୁ ମାନଙ୍କ ଠାରେ ଦେଖାଦେଇଛି ।

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ମ୍ୟାଲେରିଆ ସମେତ ବିଭିନ୍ନ ସଂକ୍ରମଣ ସମ୍ପର୍କୀତ ପରୀକ୍ଷା ନିରୀକ୍ଷା କରଯାଇଛି । ଏହା ସହ ଅସୁସ୍ଥ ଶିଶୁଙ୍କ ଚିକିତ୍ସା ଆରମ୍ଭ ହୋଇଛି ।

ଜାପାନି ଏନସେଫାଲାଇଟିସ ପରେ ବ୍ରଙ୍କୋ ନିମୋନିଆ ମାଲକାନଗିରିରେ ଆତଙ୍କ ସୃଷ୍ଟି କରିଥିଲା । ବର୍ତମାନ ପୁଣିଥରେ ୨୭ଜଣ ଶିଶୁ ଥଣ୍ଡା ଜ୍ୱରର ଶିକାର ହେବା ଚିନ୍ତା ବଢାଇ ଦେଇଛି । ସଚେତନତାର ଅଭାବ ନାଁ ଅପହଞ୍ଚ ସ୍ୱାସ୍ଥ୍ୟ ସେବା, କାହିଁକି ମାଲକାନଗିରିରେ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜଟିଳ ସ୍ଥିତି ସୃଷ୍ଟି ହେଉଛି ସେନେଇ ସତର୍କ ହେବାର ଆବଶ୍ୟକତା ଅଛି ।