ଅଜଣା ରୋଗରେ ପୀଡିତ ଦାଦନ ଶ୍ରମିକଙ୍କୁ ଛୁଉଁ ନଥିଲେ ଗ୍ରାମବାସୀ କି ବନ୍ଧୁ ବାନ୍ଧବ । ଚିକିତ୍ସା ନପାଇ ଘରେ ପଡିଥିଲେ, ଏବେ ସହାୟତା ପାଇଁ ହାତ ବଢାଇଲା ପ୍ରଶାସନ ।

411

କନକ ବ୍ୟୁରୋ : ଆଜି ବି ବଂଚିଛି ଅନ୍ଧ ବିଶ୍ୱାସ । ଆଧୁନିକ ସଭ୍ୟତାରେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରିନି ଉପାନ୍ତ ଅଂଚଳର ମଣିଷ । ଅଜଣା ରୋଗରେ ପୀଡିତ ଦାଦନ ଶ୍ରମିକଙ୍କୁ ଛୁଉଁ ନଥିଲେ ଗ୍ରାମବାସୀ କି ବନ୍ଧୁ ବାନ୍ଧବ । ଫଳରେ ଚିକିତ୍ସା ନପାଇ ଘରେ ପଡି ରହିଥିଲେ ଉମରକୋଟ୍ କୋସରାଭଟା ଗାଁର ଲଛିନ୍ଦ୍ର ଗଣ୍ଡ । ତାଙ୍କ ସମସ୍ୟା ବାବଦରେ ଜାଣିବା ପରେ ସହାୟତା ପାଇଁ ହାତ ବଢାଇଛି ପ୍ରଶାସନ ।

ଅଛୁଆଁ ଥିଲା ଦାଦନ । ହାତ ବଢାଇଲା ପ୍ରଶାସନ । ଚିକିତ୍ସା ଅଭାବରୁ ଘରେ ଶଯ୍ୟାଶାୟୀ ରୋଗୀକୁ ଡାକ୍ତରଖାନା ନେଲା ଜିଲ୍ଲା ପ୍ରଶାସନ । ଚର୍ମ ରୋଗରେ ପୀଡିତ ରୋଗୀ ଅଛୁଆଁ ହୋଇ ଘରେ ପଡି ରହିଥିଲେ । ରୋଗ ଡେଇଁବା ଭୟରେ ତାଙ୍କୁ ବନ୍ଧୁ-ବାନ୍ଧବ କି ଗ୍ରାମବାସୀ ଛୁଉଁନଥିଲେ କି ସହଯୋଗ କରୁନଥିଲେ । ତେଣୁ ଛୋଟ ଛୋଟ ୩ ଝିଅଙ୍କ ସହ ଗୋଟିଏ ଭଙ୍ଗା ଘରେ ଜୀବନ ଯିଉଁଥିଲେ ନବରଙ୍ଗପୁର ଜିଲ୍ଲା କୋସରାଭଟା ଗାଁର ଲଛିନ୍ଦ୍ର ଗଣ୍ଡ । ଏନେଇ ଖବର ପାଇବା ପରେ ଉମରକୋଟ୍ ପ୍ରଶାସନ ଲଛିନ୍ଦ୍ରଙ୍କୁ ତାଙ୍କ ଘରୁ ଉଦ୍ଧାର କରି କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲକୁ ପଠାଇଛନ୍ତି । ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଲଚ୍ଛିନ୍ଦ୍ରଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭୂମିହୀନ ଲଚ୍ଛିନ୍ଦ୍ର ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ସେ ହଠାତ୍ ଅଜଣା ରୋଗର କବଳରେ ପଡିଗଲେ । ଶରୀରରୁ ଚର୍ମ ଛାଡିବା ସହ ପୋଡା ଜଳା ହେଲା । ଘରାରେ ଘରୁ ବାହାରି ନହେବାରୁ ଲଛିନ୍ଦ୍ର କାମ ଧନ୍ଦା କରି ନପାରି ଘରକୁ ଫେରିଆସିଲେ । ଆଉ ସେବେଠାରୁ ସେ ଏହି ଘରେ ପଡି ରହିଥିଲେ । ଏବେ ପ୍ରଶାସନ ପକ୍ଷରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ସୁସ୍ଥ ହୋଇ ଫେରିବେ ବୋଲି ଆଶା ରଖିଛନ୍ତି ଲୋକେ । ଆଜିର ସମାଜରେ ମଧ୍ୟ ରୋଗକୁ ନେଇ ଲୋକଙ୍କ ମନରେ ଛୁଆଁ ଅଛୁଆଁର ଭେଦଭାବ ରହିଛି । ଯାହାର କୌଣସି ବୈଜ୍ଞାନିକ କାରଣ ନାହିଁ ।