ଆଖୁ କିଆରୀରେ ଅଜଣା ଜନ୍ତୁ ଆତଙ୍କ : ଚାଷୀଙ୍କ ଆଖିରୁ ହଜାଇ ଦେଲାଣି ନିଦ । ରାତି ଅଧରେ ଏକର ଏକର ଫସଲ କରୁଛି ନଷ୍ଟ

40

କନକ ବ୍ୟୁରୋ : ଆଖୁ ଚାଷୀଙ୍କ ଆଖିରୁ ନିଦ ହଜାଇଦେଲାଣି ଅଜଣା ଜନ୍ତୁ । ରାତି ଅଧରେ ଏକର ଏକର ଆଖୁ ଫସଲକୁ ଖାଇ କରିଦେଉଛି ନଷ୍ଟ ।

ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜୟଦେବ ପଚାଂୟତ ଫିରଫିରା ଅଂଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଜଙ୍ଗଲୀ ଜନ୍ତୁ। ଏହାକୁ ଆଖି ଆଗରେ ରଖି ଅଜଣା ଜନ୍ତୁଙ୍କୁ ଘଉଡ଼ାଇବା ପାଇଁ ଚାଷୀ ଓ ବନ ବିଭାଗ ବହୁତ କସରତ କରୁଛନ୍ତି । ଚାଷୀ ହାତରେ ଠେଙ୍ଗା ଧରି ବାହାରିପଡୁଥିବା ବେଳେ ବାଳକାଟି ବନ ବିଭାଗ ଆଖୁ କିଆରୀ ଓ ନିକଟରେ ଥିବା ଜଙ୍ଗଲ ପାଖରେ ବାଣ ଫୁଟାଉଛନ୍ତି । ଆଜି ବାଳକାଟି ବନ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବାଣ ଫୁଟାଇ ଜଙ୍ଗଲୀ ଜନ୍ତୁଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ଏହା ସହିତ ଜନ୍ତୁର ପାଦ ଚିହ୍ନକୁ ମଧ୍ୟ ନିରୀକ୍ଷଣ କରୁଛନ୍ତି ବନ ବିଭାଗ କର୍ମଚାରୀ ।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜୟଦେବ ପଚାଂୟତର ଫିରଫିରା ଅଂଚଳରେ ଅଜଣା ଜନ୍ତୁର ଆତଙ୍କ ଦେଖାଦେଇଛି । ଆଖୁ ଫସଲକୁ ଖାଇବା ସହ ନଷ୍ଟ କରୁଛନ୍ତି ଜଙ୍ଗଲୀ ଜନ୍ତୁ । ଫଳରେ ସ୍ଥାନୀୟ ଚାଷୀଙ୍କ ଶତାଧିକ ଆଖୁ ଫସଲ ନଷ୍ଟ ହୋଇଯାଇଛି ।

ଗତ କିଛି ମାସ ତଳେ ବାଲିଟଣା ଓ ନିଆଳି ଅଂଚଳରେ ମେଣ୍ଢାଖିଆ ଅଜଣା ଜନ୍ତୁର ଆତଙ୍କ ଦେଖା ଦେଇଥିଲା । ଏବେ ପୁଣି ରାତି ଅଧରେ ଅଜଣା ଜନ୍ତୁର ଆତଙ୍କ ଯୋଗୁଁ ଶହ ଶହ ଏକର ଆଖୁ ଫସଲ ନଷ୍ଟ ହେବାକୁ ବସିଛି । ବିଭିନ୍ନ ସଂସ୍ଥାରୁ ଋଣ ଆଣି ଆଖୁ ଫସଲ କରିଥିବା ଆଖୁ ଚାଷୀ ଏବେ ଚିନ୍ତାରେ । ସେପଟେ ବାଳକାଟି ବନ ବିଭାଗ ପକ୍ଷରୁ ରାତି ପେଟ୍ରୋଲିଙ୍ଗ କରାଯିବା ସହ ଜନ୍ତୁଙ୍କୁ ଠାବ କରାଯିବ ବୋଲି ବନ ବିଭାଗ କହିଛି । ସେପଟେ ଆଖୁ ଚାଷୀ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କ୍ଷତି ପୂରଣ ଦିଆଯିବ ବୋଲି କହିଛି ବନ ବିଭାଗ ।