ଆଖୁ କିଆରିରେ ଅଜଣା ଜନ୍ତୁ ଆତଙ୍କ: ବାଲିଅନ୍ତାରେ ଏକର ଏକର ଆଖୁ ଖାଇବା ସହ ନଷ୍ଟ କରୁଛି ଫସଲ, ଘଉଡେଇବା ପାଇଁ ବନ ବିଭାଗର ଉଦ୍ୟମ

67

କନକ ବ୍ୟୁରୋ: ଆଖୁ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି ଅଜଣା ଜନ୍ତୁ । ଏକର ଏକର ଆଖୁ ଫସଲ ଖାଇବା ସହ ନଷ୍ଟ କରୁଛି ଅଜଣା ଜନ୍ତୁ । କିଛି ଦିନ ହେବ ବାଲିଅନ୍ତା ବ୍ଲକ ଫିରଫିରା ଅଂଚଳରେ ଆତଙ୍କ ସୃଷ୍ଟି କରିଛି ଜଙ୍ଗଲି ଜାନୁଆର । ଆଖୁ ନଷ୍ଟକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ବାଳକାଟି ବନ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବାଣ ମାରି ଜଙ୍ଗଲି ଜନ୍ତୁ ଘଉଡ଼ାଇବାକୁ ଉଦ୍ୟମ କରିଛି ହେଲେ ବିଫଳ ହୋଇଛି ।

ହାତରେ ଠେଙ୍ଗା ଧରି ଆଖୁ କିଆରି ଜଗୁଛନ୍ତି ଚାଷୀ । ଅଜଣା ଜନ୍ତୁ ଫସଲ ନଷ୍ଟ କରୁଥିବା ବେଳେ ଘଉଡେଇବା ପାଇଁ ବାଣ ଫୁଟାଉଛନ୍ତି ବନ ବିଭାଗ କର୍ମଚାରୀ । ଆଖୁ କିଆରି ଭିତରେ ପଶି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଚାଷୀଙ୍କ ସମେତ ବନ ଅଧିକାରୀ । ଜମିରେ ପଡିଥିବା ଜନ୍ତୁର ପାଦ ଚିହ୍ନକୁ ନିରୀକ୍ଷଣ କରିଛନ୍ତି ବନ ବିଭାଗର ଅଧିକାରୀ । ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଫିରଫିରା ଅଂଚଳରେ ଅଜଣା ଜନ୍ତୁ ଆଖୁ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ଅଜଣା ଜନ୍ତୁ ଯୋଗୁଁ ଶହ ଶହ ଏକର ଆଖୁ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ବିଭିନ୍ନ ସଂସ୍ଥାରୁ ଋଣ ଆଣି ଚାଷ କରିଥିବା ଆଖୁ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ସେପଟେ ବାଳକାଟି ବନ ବିଭାଗ ପକ୍ଷରୁ ରାତି ପାଟ୍ରୋଲିଂ କରାଯାଉଛି । ଖୁବ୍ଶୀଘ୍ର ଜନ୍ତୁକୁ ଠାବ କରାଯିବ ବୋଲି କହିଛି ବନ ଅଧିକାରୀ । ତେବେ ନିଆଳି ଓ ବାଲିପାଟଣାରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ ଘଟଣା ପରେ ଏବେ ବାଲିଅନ୍ତାରେ ଆଖୁ ଫସଲ ନଷ୍ଟ କରୁଛି ଅଜଣା ଜନ୍ତୁ ।