ବେନାମୀ ଚିଠି ଖୋଲିଥିଲା ବାବାଙ୍କ ଗୁମର ! ସାମନାକୁ ଆଣିଥିଲା ରାମ ରହିମଙ୍କ କଳା କାରନାମା

108

କନକ ବ୍ୟୁରୋ : ବାବା ରାମରହିମଙ୍କ ଆଶ୍ରମରେ ଚାଲିଥିବା କେଳେଙ୍କାରୀ ସାମନାକୁ ଆସିଥିଲା ଏକ ବେନାମୀ ଚିଠିରୁ । ୨୦୦୨ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ନିକଟକୁ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ସାଧ୍ୱୀ, ଏହି ବେନାମୀ ଚିଠି ଲେଖିଥିଲେ । ଏହି ଚିଠିି ହିଁ ଖୋଲିଥିଲା ବାବାଙ୍କ କଳା କାରନାମାର ଗୁମର । ଚିଠିରେ ପୀଡିତା ଲେଖିଥିଲେ ତାଙ୍କ ଉପରେ ହୋଇଥିବା ନିର୍ଯାତନାର କରୁଣ କାହାଣୀ ।

ମାନନୀୟ ପ୍ରଧାନମନ୍ତ୍ରୀ ,ଅଟଳ ବିହାରୀ ବାଜପାୟୀ ଜୀ । ‘ମୁଁ ପଞ୍ଜାବର ବାସିନ୍ଦା । ଗତ ୫ବର୍ଷ ହେବ ଡେରା ସଚ୍ଚା ସୌଦାର ସିରସା ଆଶ୍ରମରେ ସାଧ୍ୱୀ ଭାବେ କାମ କରି ଆସୁଛି । ମୋ ଶହ ଶହ ଝିଅ ଏଠି ୧୬ – ୧୮ ଘଂଟା ଆଶ୍ରମରେ ସେବା କରୁଛନ୍ତି । ଆମର ଏଠି ଶାରିରୀକ ଶୋଷଣ କରାଯାଉଛି । ମୁଁ ବି.ଏ. ପାସ୍ କରିଛି । ମୋ ପରିବାର ବାବାଙ୍କର ଅନ୍ଧ ଶ୍ରଦ୍ଧାଳୁ । ସେମାନଙ୍କ ପ୍ରେରଣାରେ ମୁଁ ସାଧ୍ୱୀ ହୋଇଥିଲି ।

ସାଧ୍ୱୀ ହେବାର ୨ ବର୍ଷ ପରେ ଦିନେ ଗୁରୁମିତ୍ ରାମ ରହିମଙ୍କ ସହଯୋଗୀ ସାଧୁ ଗୁରଜୋତ୍, ମତେ ରାତି ୧୦ଟା ବେଳେ ମହାରାଜଙ୍କ ସ୍ୱତନ୍ତ୍ର କୋଠରୀରେ ସାକ୍ଷାତ୍ କରିବା ପାଇଁ କହିଲେ । ମୁଁ ପ୍ରଥମ ଥର ସେଠାକୁ ଯିବାକୁ ଥିବାରୁ ବୋଲି ବହୁତ ଖୁସି ଥିଲି । ଏଇଥିପାଇଁ ଖୁସି ଥିଲି ଯେ ସ୍ୱୟଂ ପରମାତ୍ମା ମତେ ଡାକିଛନ୍ତି । ସ୍ୱତନ୍ତ୍ର କୋଠାରୀରେ ପ୍ରବେଶ କରି ଯାହା ଦେଖିଲି ମୋର ହୋସ ଉଡିଗଲା । ମହାରାଜ ବେଡ୍ ଉପରେ ବସିଥିଲେ । ହାତରେ ରିମୋଟ୍ ଏବଂ ବଡ଼ ପରଦା ଟିଭିରେ ଦେଖୁଥିଲେ ଅଶ୍ଳୀଳ ସିନେମା । ତାଙ୍କ ବିଛଣା ଉପରେ ଥୁଆ ହୋଇଥିଲା ରିଭଲଭର୍ । ଏସବୁ ଦେଖି ମୋ ପାଦ ତଳୁ ଜମି ଖସିଗଲା । ମହାରାଜଙ୍କ ଏପରି ରୂପ ମୁଁ ସ୍ୱପ୍ନରେ ବି କଳ୍ପନା କରି ନଥିଲି ।

ପ୍ରଥମ ଥର ସେଦିନ ମୋ ଉପରେ ବଳାତ୍କାର କରାଯାଇଥିଲା । ମୁଁ ପ୍ରତିବାଦ କରିବା ବେଳେ ମୋତେ ମହାରାଜ କହିଥିଲେ ପ୍ରଭୁ ଶ୍ରୀକୃଷ୍ଣ ବି ଗୋପୀମାନଙ୍କ ସହ ପ୍ରେମ ଲୀଳା କରୁଥିଲେ । ତଥାପି ଗୋପୀମାନେ ତାଙ୍କୁ ପରମାତ୍ମା ଭାବୁଥିଲେ । ମହାରାଜ କହିଥିଲେ, ମୋ କଥାରେ ରାଜି ନହେଲେ ପରିସ୍ଥିତି ଭୟଙ୍କର ହେବ । ମୋର କେହି କିଛି କରିପାରିବେ ନାହିଁ । ଏହା ପରେ ମୋ ପାଖରେ କିଛି ଚାରା ନଥିଲା । କେବଳ ମୁଁ ନୁହେଁ, ମୋ ଭଳି ଅନେକ ଝିଅଙ୍କୁ ମହାରାଜଙ୍କ ଯୌନ ଶୋଷଣର ଶିକାର ହୋଇଛନ୍ତି । ପଂଜାବ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ପାଦ ଛୁଉଁଛନ୍ତି । ତାଙ୍କ ବିରୋଧରେ କେହି କିଛି ପଦକ୍ଷେପ ନେଇପାରିବେ ନାହିଁ । ଆପଣ ଘଟଣାର ତଦନ୍ତ କରନ୍ତୁ, ଆମକୁ ନ୍ୟାୟ ଦିଅନ୍ତୁ ।’

୧୩ ମେ, ୨୦୦୨ । ଏହି ବେନାମୀ ଚିଠି ମିଳିଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ । ତିନି ପୃଷ୍ଠା ବିଶିଷ୍ଟ ଏହି ବେନାମୀ ଚିଠିରେ ଡେରା ସଚ୍ଚା ସୌଦା ଆଶ୍ରମରେ ଗୁରୁ ରାମ ରହିମଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ବିଷୟରେ ବର୍ଣ୍ଣନା କରିଥିଲେ ପୀଡିତା । ଚିଠିର ଏକ କପି ପଂଜାବ-ହରିୟାଣା ହାଇକୋର୍ଟଙ୍କ ପାଖରେ ପହଁଚିଥିଲା । ଏହି ଚିଠି ଥିଲା ବାବାଙ୍କ କଳା କାରନାମାର ଦଲିଲ । ଏହାପରେ ଗୃହମନ୍ତ୍ରଣାଳୟ, ସିବିଆଇ ଏବଂ ନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଭାର ଦିଆଯାଇଥିଲା ସିବିଆଇକୁ । ସିବିଆଇ ଯାଂଚ ବେଳେ ଆଉ ଜଣେ ମହିଳା ମଧ୍ୟ ଯୌନ ଶୋଷଣର ଅଭିଯୋଗ କରିଥିଲେ । ଆଶ୍ରମର ଆଉ କିଛି ମହିଳା, ବାବାଙ୍କ କାରନାମା ବିଷୟରେ ମାନିଥିଲେ ବି ଏହା ତାଙ୍କର ଶୁଦ୍ଧିକରଣ ବୋଲି ବର୍ଣ୍ଣନା କରିଥିଲେ । ଘଟଣାର ୫ ବର୍ଷ ପରେ ଏହି ମାମଲାରେ ସିବିଆଇ ଦାଖଲ କରିଥିଲା ଚାର୍ଜସିଟ୍ । ସିବିଆଇ ଜର୍ଜଙ୍କୁ ମଧ୍ୟ ଡେରା ସମର୍ଥକମାନେ ହତ୍ୟା ଧମକ ଦେଇ ଚିଠି ଲେଖିଥିବା ଅଭିଯୋଗ ହୋଇଥିଲା । ବାବାଙ୍କ ଆଶ୍ରମରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ସିରସାର ଜଣେ ସାମ୍ବାଦିକ ଖବରକାଗଜରେ ଏକଥା ପ୍ରକାଶ କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।