ଆନନ୍ଦମୟ ଦେଶ ତାଲିକାର ଶୀର୍ଷରେ ଫିନଲାଣ୍ଡ : ନରୱେକୁ ହଟାଇ ୧ ନମ୍ବର ସ୍ଥାନ ଅକ୍ତିଆର

2

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଫିନଲାଣ୍ଡ । ବୁଧବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି । ଅଧିକ ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଆମେରିକୀୟ ମାନେ ବେଶୀ ଖୁସି ନୁହଁନ୍ତି । ତାଲିକାର ସବୁଠାରୁ ତଳେ ରହିଛି ବୁରୁଣ୍ଡି । ଦେଶର ଜିଡିପି, ସାମାଜିକ ବିକାଶ, ସ୍ୱାସ୍ଥ୍ୟରେ ଉନ୍ନତି, ସାମାଜିତ ସ୍ୱାଧୀନତା, ଦୁର୍ନୀତିର ହାର ଆଦିକୁ ତର୍ଜମା କରି ଏହି ତାଲିକା ପ୍ରସ୍ତୁତ ହୋଇଛି ।

ବିଶ୍ୱର ୧୫୬ଟି ଦେଶକୁ ଏଥିରେ ସାମିଲ କରାଯାଇଛି । ଗତବର୍ଷ ପଂଚମ ସ୍ଥାନରେ ଥିବା ଫିନଲାଣ୍ଡ, ଶୀର୍ଷରେ ଥିବା ନରୱେକୁ ହଟାଇ ଚଳିତ ବର୍ଷ ପ୍ରଥମ ସ୍ଥାନ ନେଇଛି । ଡେନମାର୍କ ତୃତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଅଷ୍ଟମ ଓ ଅଷ୍ଟ୍ରେଲିଆ ଦଶମ ସ୍ଥାନରେ ରହିଛନ୍ତି । ଗତବର୍ଷ ଖୁସିର ଦେଶ ତାଲିକାର ୧୪ ନମ୍ବର ସ୍ଥାନରେ ଥିବା ଆମେରିକା ଚଳିତ ବର୍ଷ ୧୮ ତମ ସ୍ଥାନକୁ ଖସି ଆସିଛି । ସେହିପରି ବ୍ରିଟେନ ୧୯ ତମ ଓ ୟୁନାଇଟେଡ ଆରବ ଏମିରଟ ୨୦ତମ ସ୍ଥାନରେ ରହିଛନ୍ତି । ବିଭିନ୍ନ ଅନୁଷ୍ଠାନର ମିଳିତ ଉଦ୍ୟମରେ ଏହି ହାପି କଂଟ୍ରି ତାଲିକା ପ୍ରସ୍ତୁତ ହୋଇଥାଏ ।

୨୦୧୨ରେ ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଚଳିତ ବର୍ଷ ୯୭ ତମ ସ୍ଥାନରେ ରହିଛି ଭୁଟାନ । ଏହି ଦେଶ ହିଁ ପ୍ରଥମେ ଆନନ୍ଦ ଦିବସ ପାଳନ ପାଇଁ ୨୦୧୧ରେ ପ୍ରସ୍ତାବ ଦେଇଥିଲା । ଏହାକୁ ବର୍ଷକ ପରେ ଲାଗୁ କରିଥିଲା ମିଳିତ ଜାତିସଂଘ । ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ଏହି ଦିବସ ପାଳିତ ହେବ ।

Comments are closed.