ଯୋଗ ଗୁରୁ ଜୟଦେବ । ଯାହାଙ୍କ ଯୋଗାସନ ଆଗରେ ଫିକା ପଡିଯିବ ବାବା ରାମଦେବଙ୍କ ଯୋଗ, କେତେବେଳେ ଗୋଡକୁ ମୁଣ୍ଡ ଉପରେ ରଖି ତ ପୁଣି କେତେବେଳେ ପେଟକୁ ତଳ ଉପର କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି ଜୟଦେବ ।

714

କନକ ବ୍ୟୁରୋ : କେନ୍ଦ୍ରାପଡାର କୁନି ରାମଦେବ । ୮ ବର୍ଷର ଏହି କୁନି ବାଳକ ଆଖିରେ ଆଖିଏ ସ୍ୱପ୍ନ । ବଡ ହେଲେ ଯୋଗଗୁରୁ ବାବା ରାମଦେବଙ୍କ ଭଳି ହେବ, ଲୋକଙ୍କୁ ଯୋଗ ଶିଖାଇ ସୁସ୍ଥ ରଖିବ । ଖେଳକୁଦ ବୟସରେ ଭଳିକି ଭଳି କଷ୍ଟସାଧ୍ୟ ଯୋଗାସନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି କେନ୍ଦ୍ରାପଡାର କୁନି ରାମଦେବ । ଯାହାଙ୍କୁ ନେଇ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚା ।

ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ଯୋଗ ମାଧ୍ୟମରେ ପେଟକୁ ତଳ ଉପର କରି ଚାଲିଛି ଏହି କୁନି ପିଲାଟି । ଯେଉଁ ଯୋଗାସନ କରିବାକୁ ବଡ ବଡ ଯୋଗଗୁରୁଙ୍କୁ ବର୍ଷ ବର୍ଷ ଲାଗିଯାଏ, ତାହାକୁ ମାତ୍ର ୮ ବର୍ଷ ବୟସରେ ବେଶ ଆରାମରେ କରୁଛି ୮ ବର୍ଷର ଏହି ବାଳକ । ବିନା ତାଲିମରେ ଏଭଳି କଷ୍ଟସାଧ୍ୟ ଯୋଗାସନ କରୁଥିବା ଏହି କୁନି ପିଲାଟି ହେଉଛି ପଟ୍ଟାମୁଣ୍ଡାଇ ଦେଉଳି ଗାଁର ଜୟଦେବ । ମାତ୍ର ଅଢେଇ ବର୍ଷ ବୟସରୁ ଟିଭିରେ ରାମଦେବ ବାବାଙ୍କ ଯୋଗ ଦେଖି ଏହି ରାସ୍ତାରେ ପାଦ ଥାପିଥିଲେ ଜୟଦେବ । ଖୁବ୍ କମ ଦିନ ମଧ୍ୟରେ ବିଭିନ୍ନ ଯୋଗ ଆସନରେ ମହାରଥ ହାସଲ କରିଥିଲେ ଜୟଦେବ । ଆଉ ଏହି ଠାରୁ ଆରମ୍ଭ ହୋଇଥିଲା ଜୟଦେବଙ୍କ ଜୟଯାତ୍ରା ।

ବିନା ଯୋଗଗୁରୁରେ ଯୋଗ ଶିଖିଥିବା ଜୟଦେବ କିନ୍ତୁ ଏବେ ନିଜ ସ୍କୁଲରେ ସାଙ୍ଗସାଥୀଙ୍କ ପାଇଁ ଯୋଗ ଶିକ୍ଷକ ସାଜିଛନ୍ତି । ସପ୍ତାହରେ ଗୋଟିଏ ଦିନ ସ୍କୁଲରେ ସାଙ୍ଗସାଥୀଙ୍କୁ ଯୋଗ ଶିଖାଇଥାନ୍ତି ଜୟଦେବ । କେବଳ ସ୍କୁଲ କାହିଁକି ଜୟଦେବ ଯୋଗ ଆରମ୍ଭ କଲେ ଗାଁରୁ ମଧ୍ୟ ଲୋକ ଆସିଥାନ୍ତି ଜୟଦେବଙ୍କ ସହ ଯୋଗ କରିବା ପାଇଁ । ଜୟଦେବର ସ୍ୱପ୍ନ ବଡ ହେଲେ ଯୋଗଗୁରୁ ବାବା ରାମଦେବଙ୍କ ଭଳି ହେବ । ଲୋକଙ୍କୁ ଯୋଗ ଶିଖାଇ ସୁସ୍ଥ ରଖିବ । ତେବେ ଯୋଗରେ ଟିକିଏ ଉଚ୍ଚକୋଟୀର ପ୍ରଶିକ୍ଷଣ ମିଳିଲେ ଜୟଦେବଙ୍କ ଭଳି ପ୍ରତିଭାବାନ ବାଳକ ବଣମଲ୍ଲୀ ଭାବେ ବଣରେ ନ ଝଡି ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ପୂରା ଦୁନିଆକୁ ମହକାଇବା ସହ ଗାଁ ଓ ରାଜ୍ୟର ଟେକ ରଖିବ ।