ସଜେଇ ହେଉଛି ଭୁବନେଶ୍ୱର ! ହକି ବିଶ୍ୱକପ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ପ୍ରଦର୍ଶିତ ହେବ ନିଆରା ଚିତ୍ରକଳା ।

34

ବିଶ୍ବକପ୍ ହକି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ସମସ୍ତଙ୍କ ଭିତରେ ଏହାକୁ ନେଇ ଉତ୍ସାହ । ଦେଶବିଦେଶର ଖେଳାଳିଙ୍କୁ ସ୍ବାଗତ କରିବାକୁ ରାଜଧାନୀ ସଜେଇ ହେଉଛି । ଏହାକୁ ଆହୁରି ନିଆରା ଓ ରୋମାଞ୍ଚ କରିବା ପାଇଁ କିଛି ନିଆରା ଚିତ୍ରକଳାକୁ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖାସ୍ ଏଥି ପାଇଁ ଗତ ୧ ତାରିଖ ଠାରୁ ପାନ୍ଥନିବାସରେ ୨୫ ଜଣ ଶିଳ୍ପୀଙ୍କୁ ନେଇ ଚାଲିଥିଲା ଶିଳ୍ପୀ ଶିବିର । ୬ ଦିନ ଧରି ଚାଲିଥିବା ଏହି ଶିବିରରେ ଶିଳ୍ପୀମାନେ ନିଜ ତୂଳୀରେ ବିଶ୍ବକପ୍ ହକି ଓ ଖେଳାଳିଙ୍କୁ ନେଇ ଆଙ୍କିଥିଲେ ଉଚ୍ଚକୋଟୀର ଚିତ୍ର । କାହା ତୂଳୀରେ ହକି ଖେଳୁଥିବା ଖେଳାଳିଙ୍କ ବିଭିନ୍ନ ଅଙ୍ଗ ଭଙ୍ଗୀ, ମହାରାଷ୍ଟ୍ରର ଲୋକଙ୍କ ହକି ଖେଳ ପ୍ରତି ଆଗ୍ରହ ଓ ହକି ଖେଳାଳିଙ୍କୁ ଦେଖି ଗାଁର ପିଲାମାନେ ମଧ୍ୟ ହକି ଖେଳିବାକୁ ଆଗ୍ରହ ପ୍ରକାଶକୁ ନେଇ ଅନେକ ଚିତ୍ର ପ୍ରସ୍ତୁତ ହୋଇଛି ।

ଚିତ୍ରଗୁଡ଼ିକ ଏପରି ଅଙ୍କାଯାଇଛି, ଯାହା କି କିଛି ସମୟ ପାଇଁ କ୍ରୀଡ଼ାପ୍ରେମୀଙ୍କୁ ନିର୍ବାକ କରିଦେବା ନିଶ୍ଚିତ । ଏଗୁଡ଼ିକ ବିଶ୍ବକପ୍ ଅବସରରେ କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶିତ କରାଯିବ । ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଓଡ଼ିଶା ଖଣି ନିଗମ ସହଯୋଗରେ ଚାଲିଥିବା ଏହି ଶିବିର ଆଜି ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ଓଏମସି ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ ଅତିଥି ଭାବେ ଯୋଗଦେଇ ଶିଳ୍ପୀମାନଙ୍କୁ ୫୦ ହଜାର ଟଙ୍କା, ଉପଢୌକନ, ମାନପତ୍ର, ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଚିତ୍ରଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶିତ ହେବା ସହିତ ଏହାର କ୍ୟାଟଲଗ୍ ମଧ୍ୟ ଉନ୍ମୋଚିତ କରାଯିବ ବୋଲି ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ । ଏଥିରେ ଏକାଡେମିର ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଚିବ ମାନସ ରଞ୍ଜନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଶାନ୍ତ କୁମାର ସ୍ବାଇଁ କାର‌୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।