ବିନା ବରଯାତ୍ରୀରେ ହେଲା ବାହାଘର : ଅଗ୍ନି ନୁହେଁ ସମ୍ବିଧାନ ରହିଲା ସାକ୍ଷୀ, ଜନ୍ମ ଜନ୍ମର ସାଥୀ ହେଲେ ଅରିଜିତ ଏବଂ ଶିବାଲିକା

772

କନକ ବ୍ୟୁରୋ : ବିବାହରେ ବାଜା ରୋଷଣୀ, ବର ଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣ ଅତି ସାଧାରଣ କଥା । ହେଲେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କରିବା କଥା କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ।

ଅଗ୍ନି ନୁହେଁ, ବିବାହ ପାଇଁ ସାକ୍ଷୀ ରହିଲା ସମ୍ବିଧାନ । ସମ୍ବିଧାନ ଉପରେ ହାତ ରଖି ଜନ୍ମ ଜନ୍ମର ସାଥୀ ପାଲଟିଛନ୍ତି ଅରିଜିତ ଏବଂ ଶିବାଲିକା । ପରସ୍ପର ସହିତ ଜୀବନ ବିତାଇବାକୁ ଶପଥ ନେଇଛନ୍ତି । ଇଏ ଏକ ଏମିତି ନିଆରା ବାହାଘର ଯେଉଁଠି ନା ବରଯାତ୍ରୀ ଆସିଥିଲେ ନା ବାଜାରୋଷଣି ହୋଇଥିଲା । ଜାତି, ଜାତକ, କର୍ମକାଣ୍ଡ ବିନା ହୋଇଛି ଏହି ବିବାହ ।

ଅରିଜିତ ଏବଂ ଶିବାଲିକା । ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ହୋଇଯାଇଥିଲା ପ୍ରେମ । ଆଉ ଏହି ପ୍ରେମକୁ ବିବାହର ରୂପ ଦେବାକୁ ଚିନ୍ତା କଲେ ଦୁଇଜଣ । ହେଲେ ଝିଅର ପରିବାର ଲୋକେ ଏଥିରେ ରାଜି ନଥିଲେ । କାରଣ ପୁଅ ଘର ଜାତି ଉଚ୍ଚ ଥିଲା । ତେବେ ଶିବାଲିକାଙ୍କ ପରିବାର ଲୋକେ ସହମତି ଜଣାଇବା ପରେ ଅରିଜିତଙ୍କ ବାପା କଥା ହୋଇଥିଲେ । ମାତ୍ର ୧୦ ମିନିଟ ଭିତରେ ବିବାହ ହେବ ବୋଲି ସ୍ଥିର ହୋଇଥିଲା ।

ଶିବାଲିକାଙ୍କୁ ଶପଥ ପାଠ କରାଯାଇଥିଲା ଏବଂ ଅରିଜିତଙ୍କୁ ମଧ୍ୟ ଶପଥ ପାଠ କରାଯାଇଥିଲା । ସମ୍ବିଧାନ ଉପରେ ହାତ ରଖି ଜନ୍ମ ଜନ୍ମର ସାଥି ପାଲଟିଥିଲେ ଉଭୟେ । ଏପରି ବିବାହକୁ ନେଇ ବର କନ୍ୟା ମଧ୍ୟ ଖୁସି ଜାହିର କରିଛନ୍ତି । ସମସ୍ତ ଶ୍ରେୟ ଦେଇଛନ୍ତି ପରିବାର ଲୋକଙ୍କୁ । ହେତୁବାଦୀଙ୍କ କହିବା ହେଲା, ବିବାହ ଏକ ନିଜସ୍ୱ ନିଷ୍ପତି । କାହାକୁ ବାହା ହେବେ କେମିତି ବାହା ହେବେ ଏହା ନିଜ ଉପରେ ନିର୍ଭର କରେ । ତେଣୁ ଏପରି ବିବାହରେ କୌଣସି ଅସୁବିଧା ନାହିଁ ।

ବିବାହ, ଏକ ଏମିତି ସମ୍ପର୍କ ଯାହା ଗୋଟିଏ ନୁହେଁ ସାତ ଜନମ ପାଇଁ ହୋଇଥାଏ । ଏକ ଏମିତି ବନ୍ଧନ ଯେଉଁଥିରେ ଥରେ ବାନ୍ଧି ହେଲେ, ସେହି ସମ୍ପର୍କକୁ ମର୍ଯ୍ୟାଦା ଦେବାକୁ ପଡିଥାଏ । ଅନ୍ୟ ବିବାହ ପରି ଏଠି ମନ୍ତ୍ର ଉଚ୍ଚାରଣ ନଥିଲା ସତ କିନ୍ତୁ ମନର ଆଉ ହୃଦୟର ଶପଥ ଥିଲା ପରସ୍ପରକୁ ଆପଣେଇବା ପାଇଁ ।