ସମାଜକୁ ‘ନିଆରା ବାହାଘର’ ପାଠ ପଢ଼ାଇଲେ ପଟ୍ଟାମୁଣ୍ଡାଇର ଶିକ୍ଷକ: ଚାଲି ଚାଲି ଆସିଲେ କନିଆ ଘର,ଯୌତୁକରେ ନେଲେ ୧୦୦୧ ଫଳ ଗଛ ଚାରା

51

କନକ ବ୍ୟୁରୋ : ଜୀବନରେ କ’ଣ ଦୁଇ ଥର ବାହା ହୁଏ । ଏମିତି ଯୁକ୍ତି ରଖି ବାହାଘରକୁ ଉତ୍ସବ ଆକାରରେ ପାଳନ କରୁଥିବା ଆପଣ ଅନେକଥର ଦେଖିଥିବେ । ଏଭଳି ସ୍ଥିତିରେ ବିନା ବାଣ, ଡିଜେ କିମ୍ବା ଧୁମଧଡାକା ପ୍ରୋସେସନକୁ ବାଦ ଦେଇ ବାହାଘର କଥା ଚିନ୍ତା କରିବା ହୁଏତ ବହୁତ କଷ୍ଟ । କିନ୍ତୁ ଆଜି ଆମେ ଏଭଳି ଏକ ବାହାଘରର କାହାଣୀ କହିବୁ, ଯାହା ଦେଖିଲେ ଆପଣ ବି କହିବେ- ଆଜି ବି ଲୋକ ଅଛନ୍ତି ଯେଉଁମାନେ ଚାକଚକ୍ୟରେ ବିଶ୍ୱାସ କରନ୍ତି ନାହିଁ । ଆଉ ଯୌତୁକକୁ ସାମାଜିକ ବ୍ୟାଧି ଭାବେ ଗ୍ରହଣ କରନ୍ତି ।

ପଟ୍ଟାମୁଣ୍ଡାଇରେ ହୋଇଥିବା ବାହାଘରକୁ ନେଇ ଏବେ ପୂରା ଓଡ଼ିଶାରେ ଚର୍ଚ୍ଚା । ଏହି ବାହାଘରରେ ଏମିତି କ’ଣ ଅଛି ଯେ, ଆମେ ତାଙ୍କୁ ଏକ ନିଆରା ବାହାଘର କହୁଛୁ । ଏହି ବାହାଘର ଏଇଥି ପାଇଁ ନିଆରା କାରଣ ଏହି ବାହାଘର ଶୋଭାଯାତ୍ରାରେ ନା’ ଡିଜେ ଅଛି ନା’ ଚାକଚକ୍ୟ ଶୋଭାଯାତ୍ରା ଅଛି । ଅଛି କେବଳ ଯୋଡ଼ି ଶଙ୍ଖ ଏବଂ ମହୁରୀ ଶୋଭାଯାତ୍ର ।

ପଟ୍ଟାମୁଣ୍ଡାଇ ଅଂଚଳର ସରୋଜ କୁମାର ଯେ, କେବଳ ନିରାଡମ୍ବର ଭାବରେ ବାହା ହୋଇଛନ୍ତି, ତାହା ନୁହେଁ ଯୌତୁକ ନେବାକୁ ବି ଖୋଲାଖୋଲି ମନା କରିଦେଇଛନ୍ତି । ଯେତେ ବେଳେ କନ୍ୟାଦାନ ସହ ଦକ୍ଷିଣା ଦେବାକୁ ଜିଦ୍ କରିଥିଲେ କନ୍ୟାଘରର ଲୋକ, ସରୋଜ କହିଥିଲେ-ଦକ୍ଷିଣା ଆକାରରେ ୧୦୦୧ଟି ଫଳ ଗଛର ଚାରା ଦେଇ ପରମ୍ପରା ପାଳନ କରନ୍ତୁ । ଯାହାକୁ ଗାଁ ଲୋକଙ୍କୁ ବାଂଟି ପରିବେଶ ସୁଧାରିବା ପାଇଁ ବାର୍ତା ଦେବେ ।

ପେଶାରେ ଶିକ୍ଷକ ଥିବା ସରୋଜ, ପିଲାଙ୍କୁ ଭଲ ମଣିଷ ହେବାର ଯେଉଁ ଶିକ୍ଷା ଦେଉଛନ୍ତି, ତାକୁ ନିଜ ଜୀବନରେ ବି ଉପଯୋଗ କରି ଦେଖାଇଛନ୍ତି । ଯେଉଁଥିରେ ସହଯୋଗ କରିଛନ୍ତି ସରୋଜଙ୍କ ପରିବାର ଲୋକ ।ନୀତି ଆଦର୍ଶର କଥା ସମସ୍ତେ କୁହନ୍ତି କିନ୍ତୁ ସରୋଜଙ୍କ ଭଳି କମ୍ ଲୋକ ଅଛନ୍ତି ଯେଉଁମାନେ ନିଜ କଥାକୁ କାମରେ ଲଗାଇବାର ସାହାସ କରନ୍ତି ।