ବାଜା ନାହିଁ କି ବାଣ ନାହିଁ, ବେଦ ପାଠ ପଢି କନିଆ ଘରେ ପହଞ୍ଚିଲା ବର ! ପାଟକୁରାର ନିଆରା ବାହଘର ।

47

କନକ ବ୍ୟୁରୋ : ଆଜିକାଲି ବାହାଘରରେ ବାଜା, ବାଣ, ରୋସଣିରେ ପୁଳାପୁଳା ଟଙ୍କା ଖର୍ଚ୍ଚ ହେଉଥିବାବେଳେ କେନ୍ଦ୍ରାପଡା ପାଟକୁରାରୁ ଏହି ଘଟଣା ଅନେକ ଯୁବକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କାରଣ ଏହି ବାହାଘର ଶୋଭାଯାତ୍ରାରେ, ଡିଜେ ସାଉଣ୍ଡରେ ମାତାଲ ଯୁବକଙ୍କ ନାଚର ଦୃଶ୍ୟ ନାହିଁ । ବରଂ ପାରମ୍ପରିକ ତେଲିଙ୍ଗି ବାଜା ଓ ଶଙ୍ଖ ଧ୍ୱନି ସହ ପାଲା ଗାୟନ ଭିତରେ ଚାଲିଛି ବରର ଶୋଭାଯାତ୍ରା । ବେଦପାଠ ଭିତରେ କନିଆ ଘରକୁ ଚାଲି ଚାଲି ଯାଉଛନ୍ତି ବର ।

ମାର୍ସାଘାଇ ବ୍ଲକ ନାରଣପୁର ଗାଁର ଉଚ୍ଚଶିକ୍ଷିତ ଅମିତାଭ ଜୟପ୍ରକାଶ ଏମିତି ନିଆରା ବାହାଘର ପାଇଁ ମନ ବଳାଇଥିଲେ । ଯେଉଁଥିରେ ସହଯୋଗ କରିଛନ୍ତି ତାଙ୍କ ପରିବାର ଓ ସଂପର୍କୀୟ । ଏମ ଫାର୍ମା କଲାପରେ ଦିଲ୍ଲୀରେ ଏକ ପ୍ରତିଷ୍ଠିତ ହେଲଥ ମାଗାଜିନର ସମ୍ପାଦକ ଅଛନ୍ତି ଅମିତାଭ । ସେ ବିବାହ କରୁଥିବା କନିଆ ମଧ୍ୟ ଏମଏସସି କରିଛନ୍ତି । ଆଉ ଦୁଇ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏଭଳି ନିଆରା ବାହାଘର ଜରିଆରେ ଯେଉଁ ମେସେଜ ଦେଇଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ ହୋଇ ରହିବ । ସମାଜରେ ସଂସ୍କାର ଆଣିବା ସହ ପ୍ରଦୂଷଣକୁ ରୋକିବା ପାଇଁ ଏପରି ବାହା ହେଉଥିବା କହିଛନ୍ତି ଅମିତାଭ ।