ଓଡିଆ ବରକୁ କାନାଡା କନ୍ୟା ! ଓଡିଆ ରୀତି ନୀତି ଅନୁସାରେ ହେଲା ବିବାହ । 

503

କନକ ବ୍ୟୁରୋ : ସତରେ ପ୍ରେମ ଆଗରେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେ ନଥାଏ କେବଳ ଦୁଇଟି ହୃଦୟ ମିଶିବା ଦରକାର ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି କାନାଡାର ଝିଅ ଆଉ ଓଡିଆ ଘରର ପୁଅ । ସେ ଭୁଲି ନାହାଁନ୍ତି ନିଜର ସଂସ୍କୃତି ଓ ପରମ୍ପରାକୁ । ଭୁଲି ନାହାଁନ୍ତି ନିଜର ଗାଁ ମାଟିକୁ ।

ବିଦେଶରେ ରହି ନିଜ ପସନ୍ଦର କାନାଡାର ଝିଅକୁ ଜୀବନ ସାଥୀ ରୂପେ ବାଛି ନିଜ ପରିବାରର ସହମତି ନେଇ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଜଣେ ଓଡିଆ ପୁଅ ‘ଲି ନନ୍ଦ’ । କାନାଡାରେ ରହି ମଧ୍ୟ ନିଜର ସଂସ୍କୃତି ଓ ପରମ୍ପରାକୁ ନଭୁଲି ନିଜ ଦେଶ ନିଜ ପରିବାର ସହିତ ହିନ୍ଦୁ ଧର୍ମର ରିତି ନିତି ଅନୁସାରେ ବିବାହ କରିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୋଠୀ ଗ୍ରାମର ଏହି ଓଡିଆ ପୁଅ ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୋଠୀ  ଗ୍ରାମର ହୃଷିକେଶ ନନ୍ଦ । ଯିଏକି ଜଣେ ଅବସରପ୍ରାପ୍ତ ବାୟୁସେନା ଜବାନ । ହୃଷିକେଶଙ୍କ ପୁଅ ଲି ନନ୍ଦ ଦୀର୍ଘଦିନ ହେବ ଲି କାନାଡାରେ ରହି କାନାଡାର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି  । ତେବେ ସେଠାରେ ଏକ କଫି ସପରେ କାନାଡା ହେଲୀନାଙ୍କ ସହିତ ତାଙ୍କର ପ୍ରଥମ ଥର ଦେଖା ହୋଇଥିଲା । ପ୍ରଥମ ଦେଖାରେ ହିଁ ଆରମ୍ଭ ହୋଇଥିଲା ପ୍ରେମ । ତିନିବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଦୁହେଁ ସ୍ଥିର କଲେ । ହେଲେ ଓଡିଆ ଯୁବକ ଲି ସିନା କାନାଡରେ ରହୁଛନ୍ତି କିନ୍ତୁ ସେ କେବେବି ଭୁଲିନାହାଁନ୍ତି ନିଜର ସଂସ୍କୃତି ଓ  ପରମ୍ପରାକୁ ।

ନିଜ ପିଲାମାନଙ୍କର ପସନ୍ଦକୁ ନେଇ ଦୁଇ ପରିବାର ବେଶ ଖୁସି  ଥିବାବେଳେ ହିନ୍ଦୁ ଧର୍ମର ରିତିନିତି ଅନୁଯାୟୀ  ହାତଗଣ୍ଠି, ଶଙ୍ଖା, ସିନ୍ଦୁର ଦେଇ ଲି ହେଲିନାଙ୍କୁ ବିବାହ କରିବା ସହ କୁଜଙ୍ଗ ବିଦୁଲତା ମଣ୍ଡପରୁ ଏକ ପ୍ରୋସେସନ୍ କରାଯାଇ ବର କନ୍ୟାକୁ ଗାଁକୁ ନିଆଯାଇଥିଲା ଓ ସମସ୍ତେ ଡିଜେର ଗୀତରେ ନାଚିଥିଲେ ।

ତେବେ ଆଜିର ସମୟରେ ବହୁ ଲୋକ ସଂସ୍କୃତିର ଦ୍ୱାହି ଦେଇ ଜାତି ଅଜାତିକୁ ଜାବୁଡି ଧରିଥିବାବେଳେ ପ୍ରେମ ଆଗରେ ଜାତି, ଧର୍ମ ଏ ସବୁ କିଛି ପ୍ରତିବନ୍ଧକ ସୃଷ୍ଟି କରିପାରେନା ବୋଲି ପ୍ରମାଣ କରିଛନ୍ତି ବିଦେଶିନୀ ଝିଅ ହେଲିନା । ବିବାହ ବନ୍ଧନରେ ବାନ୍ଧିହୋଇ କାନାଡା ଝିଅ ହୋଇଛନ୍ତି ଓଡିଆ ଘରର ବୋହୁ ।