ଚର୍ଚ୍ଚାରେ ଭଦ୍ରକର ଆଦର୍ଶ ବିବାହ । ବାଜା ବାଜିଲାନି କି ବାଣ ଫୁଟିଲାନି, ଅତିଥିଙ୍କୁ ଗଛ ଚାରା ଦେଇ କଲେ ସ୍ୱାଗତ ।

1,233

କନକ ବ୍ୟୁରୋ : ଭାରତରେ ବାହାଘରର ରୀତିନୀତି ସବୁବେଳେ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ହୋଇଥାଏ । ତେବେ ଏମିତି ଏକ ନିଆରା ବାହାଘର ସାମ୍ନାକୁ ଆସିଛି ଯେଉଁଠି ନା ବାଜିଥିଲା ବାଜା ନା ଫୁଟିଥିଲା ବାଣ । ପ୍ରଦୂଷଣକୁ ରୋକିବା ପାଇଁ ନିଆରା ପଦକ୍ଷେପ ଆପଣେଇଛନ୍ତି ଭଦ୍ରକର ଦିଲ୍ଲୀପ କୁମାର ନାୟକ । ଆଉ ଏହି ବାହାଘରକୁ ନେଇ ସମଗ୍ର ଓଡିଶାବାସୀ ପ୍ରଂଶସା କରୁଛନ୍ତି । ତେବେ ଆସନ୍ତୁ ଜାଣିବା କେମିତି ଥିଲା ବାହାଘର ।

ଭଦ୍ରକରେ ଆଦର୍ଶ ବିବାହକୁ ନେଇ ଚର୍ଚ୍ଚା । ପ୍ରଦୂଷଣକୁ ରୋକିବା ପାଇଁ ନିଆରା ବାହାଘର । ବିନା ବାଜା, ବାଣ ଓ ପ୍ରଦୂଷଣରେ ବର ଶୋଭାଯାତ୍ରା ଆସିବା ପରେ ଅତିଥିଙ୍କୁ ଦିଆଯାଇଛି ଗଛ ଚାରା ଭେଟି । ଭଦ୍ରକ ବାସିନ୍ଦା ଦିଲ୍ଲୀପ ନାୟକ ନିଜ ବଡ ପୁଅ ଦିନେଶଙ୍କ ବାହାଘରରେ ଏଭଳି କିଛି କାମ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ପୁଅର ବାହାଘରରେ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସମାଜକୁ କିଛି ଏଭଳି ନିଆରା ଢଙ୍ଗରେ ବାର୍ତ୍ତା ଦେଇଛନ୍ତି ଦିଲ୍ଲୀପ ।

ତେବେ ବିବାହ ପୂର୍ବରୁ ଅତିଥିଙ୍କୁ ଯେଉଁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା, ସେଥିରେ ଉପହାର ନଆଣିବାକୁ ସ୍ପଷ୍ଟ ଭାବେ ଲେଖା ହୋଇଥିଲା । ଦିନେଶଙ୍କ ବାହାଘର ଭୋଜିରେ ଯୋଗ ଦେବା ସହ ବିନା ଉପହାରରେ ଆସିବାକୁ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରିଥିଲେ ଦିଲ୍ଲୀପ । ତେବେ ଅତିଥିମାନଙ୍କୁ ବିବାହ ଉତ୍ସବ ଅବସରରେ ବିଭିନ୍ନ ଗଛ ଚାରା ସହ ବ୍ୟାଗ ପ୍ରଦାନ କରାଯାଇଛି । ବିଭିନ୍ନ ପ୍ରକାରର ଗଛ ପ୍ରାୟ ୭୦୦ରୁ ଅଧିକ ଅତିଥିଙ୍କୁ ପ୍ରଦାନ କରାଯାଇଥିବା ଦିଲ୍ଲୀପ କହିଛନ୍ତି ।

ପରିବେଶ ଦିନକୁ ଦିନ ପ୍ରଦୂଷଣ ବଢୁଥିବା ବେଳେ ଏଭଳି ନିଆରା ପରମ୍ପରାରେ ବାହାଘର ସମାଜ ପାଇଁ ଆଦର୍ଶ ପାଲଟିଛି । ଜଳବାୟୁ ପରିବର୍ତ୍ତନ ହେବା ସହ ଗ୍ଲୋବାଲ ୱାର୍ମିଂ ବଢୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଦିଲ୍ଲୀପଙ୍କ ଏହି ପଦକ୍ଷେପ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ବାହାଘରରେ ଅତିଥିଙ୍କୁ ଗଛ ଚାରା ଦେଇ ସ୍ୱାଗତ କରାଯାଇଥିବାର ଏହି ପରମ୍ପରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।