ଉତ୍ସବ ମୁଖରିତ ବଣ୍ଡା ପାହାଡ ! ରକ୍ତାକ୍ତ ହେବା ଯାଏଁ ପରସ୍ପରକୁ ଆଘାତ ଦେଇ ପାଳିତ ହେଉଛି ଆଦିବାସୀଙ୍କ ନିଆରା ପର୍ବ ଝାଟିପର୍ବ । 

211

କନକ ବ୍ୟୁରୋ : ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗ ରୁସା ଦୁର କରିବା ଲାଗି ଆଦିବାସୀଙ୍କ ନିଆରା ପରମ୍ପରା । ପରସ୍ପରକୁ ଆଘାତ ଦେଇ ଝାଟି ପର୍ବ ପାଳନ କରୁଛି ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ସମ୍ପ୍ରଦାୟ । ସଲପ ଗଛ ଡାଳରୁ ଚାବୁକ ତିଆରି କରି ଆଦିବାସୀ ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ଝାଟି ପରବ ଦିନ ନୁଆ ଖାଇବାର ଆଦିବାସୀ ପରମ୍ପରା ରହିଛି । ଆଉ ଏହି ପରବରେ ବଣ୍ଡା ମହିଳାଙ୍କ  ଗୁରୁତ୍ୱପୂର୍ଣ ଭୁମିକା ରହିଛି ।

ବଣ୍ଡାଘାଟିରେ ରକ୍ତର ଖେଳ । ରାଗ ରୁସା ଦୂର କରିବା ପାଇଁ ଝାଟି ପର୍ବ ନାମରେ ଏକ ନିଆରା ପର୍ବ ପାଳୁଛନ୍ତି ମାଲକାନଗିରି ଜିଲ୍ଲା ଆଦିମ ବଣ୍ଡା ଜନଜାତିର ଲୋକେ । ପରସ୍ପରକୁ ଆଘାତ ଦେଇ ଖେଳୁଛନ୍ତି ଏହି ଖେଳ । ଏହି ଘଟଣା ଆପଣଙ୍କୁ ବିଚଳିତ କରୁଥିଲେ ମଧ୍ୟ ଏ ହେଉଛି ବଣ୍ଡା ସମ୍ପ୍ରଦାୟର ଅନନ୍ୟ ପରମ୍ପରାର ନିଦର୍ଶନ । ବଣ୍ଡା ଘାଟିର ୩୨ଟି ଗାଁରେ ଭିନ୍ନ ଭିନ୍ନ ଦିନରେ ଦେଖିବାକୁ ମିଳିଥାଏ ଏପରି ଆୟୋଜନ ।

ଝାଟି ପର୍ବ ପାଳନ ପାଇଁ ସଲପ ଗଛର ଡାଳରେ ଚାବୁକ ସଦୃଶ୍ୟ ଛାଟି ତିଆରି କରିବା ପରେ ଗାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂର୍ଘଷର ଆସର । ପରସ୍ପରକୁ ମାଡ ମାରି ରକ୍ତାକ୍ତ କଲା ପରେ ଆଲିଙ୍ଗନ କରି ପୂର୍ବ ଶ୍ରତୁତାକୁ  ଦୂର କରିଥାନ୍ତି ଏହି ବଣ୍ଡା ଆଦିବାସୀ । ଆଉ ଏହି ପର୍ବରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବଣ୍ଡା ମହିଳା । ମହିଳା ମାନେ ଏହି ପର୍ବ ପାଇଁ ପୁରୁଷମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ଲଢେଇ ଜୋର ଧରିବା ସମୟରେ ମହିଳାମାନେ ଦୁଇ ପୁରୁଷଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜିବା ସହ ଆଘାତ ସ୍ଥାନରେ ତୁରନ୍ତ ହଳଦି ଲେପ ଲଗାଇ ଭାଇଚାରାର ବାର୍ତ୍ତା ଦିଅନ୍ତି ବଣ୍ଡା ମହିଳା ।

ଝାଟି ମରା କାର୍ଯ୍ୟକ୍ରମ ଆଗରୁ ଗାଁର ପୂଜକଙ୍କ ଘରେ ବର୍ଷର ନୁତନ ଅନ୍ନକୁ ପୂଜା କରାଯାଏ । ଏହା ସହ ସିମ୍ବ ଏବଂ ଅନ୍ୟ ପନିପରିବାକୁ ମଧ୍ୟ ପୂଜା କରାଯାଏ । ପୂଜା ସରିବା ପରେ ବଣ୍ଡା ଆଦିମ ଜନଜାତି ମଣିଷମାନେ ନୂଆ ଖାଇଥାନ୍ତି । ତେଣୁ ଏହି ଝାଟି ପର୍ବକୁ ସିମ୍ବ ପରବ କୁହାଯାଏ । ଯାହାକୁ ଦେଖିବା ଲାଗି ବଣ୍ଡାଘାଟିରେ ପ୍ରତିବର୍ଷ ପର୍ଯ୍ୟଟକ ଏବଂ ଗବେଷକଙ୍କ ଭିଡ ଲାଗିଥାଏ  । ସମୁଦ୍ର ପତନ ଠାରୁ ୫୦୦୦ ଫୁଟ ଉଚ୍ଚ ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିର ୩୨ ଟି ଗାଁରେ ବସବାସ କରନ୍ତି ପ୍ରାୟ ୧୦,୦୦୦ ବଣ୍ଡା ଜନଜାତିର ଲୋକେ । ତେବେ ଝାଟି ପର୍ବ ଅବସରରେ ବଣ୍ଡା ଘାଟିରେ ଜମେ ପାରମ୍ପାରିକ ନାଚଗୀତର ଆସର ।