କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରକୁ ସାମିଲ କରାଯାଉ ।

131

କନକ ବ୍ୟୁରୋ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ କଲେ ଅନୁରୋଧ । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ୧୭ଟି ପ୍ରତିଷ୍ଠିତ କର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । ଆଉ କୋଟି କୋଟି ଓଡ଼ିଆଙ୍କ ଗାରିମା ଏବଂ ଓଡ଼ିଶାର ଗୌରବ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ପବିତ୍ରସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ଏପରିକି ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ । ଆଉ ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ତେଣୁ ଏହି ୧୭ଟି ଆଦର୍ଶ ପର୍ଯଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାରେ କଳା, ଭାସ୍କର୍ଯ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନର ଧାରା ପରିସ୍ଫୁଟ । ବିଶେଷତଃ ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ । ସେହିପରି କୋଣାର୍କର ମନ୍ଦିର ଓଡିଶାର କଳାକୃତିର ପରିଚୟ ଦିଏ ଏବଂ ଏହା ବିଶ୍ୱସ୍ତରରେ ମାନ୍ୟତା ପାଇଛି । ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଓ ଓଡିଆ ସମାଜ-ସଂସ୍କୃତିର ପରିଚୟ ଦିଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବା ନେଇ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପଟେଲଙ୍କୁ ଅନୁରୋଧ କରିଛନ୍ତି ।