ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ । କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅତ୍ୟାଧୁନିକ ପରୀକ୍ଷାଗାରକୁ କରିବେ ଲୋକାର୍ପଣ

133

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଜନତାଙ୍କ ନିକଟତର ହେବାକୁ ଚାଲିଛି ଅଙ୍କକଷା । ଆଉ ସେହି ଉକ୍ରଣ୍ଠା ନେଇ ବିଜେପିର ଏକାଧିକ ହେବିୱେଟ ଆସୁଛନ୍ତି ଓଡିଶା ଗସ୍ତରେ । ନିକଟରେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗସ୍ତରେ ଆସିଥିବା ବେଳେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଆସୁଛନ୍ତି ଓଡିଶା । କଟକରେ ସମାବେଶ କରିବେ ରାଧାମୋହନ । ଆଉ ନାରା ରହିବ ଏ ସରକାର ବଦଳିବା ଦରକାର ।

ସକାଳ ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ସିଧା କଟକ ଯିବେ। କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ କ୍ବାଲିଟି ଲାବରୋଟାରି ଉଦଘାଟନ କରିବେ। ଆଜି ସେ ନୂଆଦିଲ୍ଲୀ ଫେରିଯିବାର କାର‌୍ୟ୍ୟକ୍ରମ ରହିଛି। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଆସନ୍ତା ମାସରେ କୋରାପୁଟଙ୍କ ଗସ୍ତରେ ଆସୁଛନ୍ତି । ସାଙ୍ଗରେ ପ୍ରିୟଙ୍କାଙ୍କୁ ଆଣିବା ପାଇଁ ଚାଲିଛି ବିଚାର ବିମର୍ଶ ।

ତେବେ ଓଡିଶାରେ ବିଜେପିର ବହୁ ମାନ୍ୟଗଣ୍ୟ ନେତାମାନେ ଆସି ଯାଇସାରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କିଛି ଦିନ ତଳେ କରିଥିବା ସମାବେଶରେ ନବୀନଙ୍କ ପ୍ରତି ନରମ ଭାବ ପୋଷଣ କରିଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା, ଯୋଗୀ ଆଦିତ୍ୟନାଥ ଏବଂ ରାଜନାଥ ସିଂହ ରାଜ୍ୟ ସରକାରଙ୍କ ପ୍ରତି କଡା ଭାଷା ପ୍ରୟୋଗ କରିଥିଲେ । ଏସବୁ ବୟାନବାଜି ଭିତରେ ଉଭୟ ବିଜେପି ଓ କଂଗ୍ରେସ ମଇଦାନରେ ଲଢେଇ ପାଇଁ ହେବିୱେଟ ମାନଙ୍କୁ ଓହ୍ଲାଇ ଜନତାଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।