ମି-ଠୁରେ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ, ଏମଜେ ଆକବର କହିଲେ, ଅଭିଯୋଗ ଆଧାରହୀନ । ଜାଣନ୍ତୁ ମୋଦିଙ୍କ ମନ୍ତ୍ରୀଙ୍କ ବିରୋଧରେ କିଏ ଓ କେଉଁ ଅଭିଯୋଗ ଆଣିଛନ୍ତି ।

44

କନକ ବ୍ୟୁରୋ : ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବରଙ୍କ ବିରୋଧରେ ମି ଠୁ ଅଭିଯାନରେ ଆସିଥିବା ଅସଦାଚରଣ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଅମୂଳକ । ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ଉଦ୍ଦେଶ୍ୟ ରଖି ଏଭଳି ଭିତିହୀନ ଏବଂ ନିରାଧାର ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି ଆକବର । ଏବେ ନଜର ପକାନ୍ତୁ ମିଡିଆ ଜଗତରେ ଜଣେ ବିଶିଷ୍ଟ ସାମ୍ବାଦିକ ଓ ମୋଦି ସରକାରରେ ମନ୍ତ୍ରୀ ରହିଥିବା ଏହି ବ୍ୟକ୍ତିଙ୍କ ବିରୋଧରେ କିଏ ଏବଂ କଣ ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ନମ୍ବର-୧
ସାମ୍ବାଦିକରୁ ନେତା ଓ ପରେ ମନ୍ତ୍ରୀ ପାଲିଟିଥିବା ଏମ୍. ଜେ ଆକବରଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଆଣିଥିଲେ ସାମ୍ବାଦିକ ପ୍ରିୟା ରମାଣୀ । ବର୍ଷକ ତଳେ ଭୋଗ୍ ପାଇଁ ସେ ଲେଖିଥିବା ଏକ ଆର୍ଟିକିଲରେ ଆକବରଙ୍କ ଅସଦାଚରଣ କଥା ଲେଖିଥିଲେ । ଏବେ ମି ଠୁ କ୍ୟାମ୍ପେନ୍ ଝଡ ସୃଷ୍ଟି କରିବା ପରେ ସାମ୍ନାକୁ ଆସି ପ୍ରିୟା କହିଛନ୍ତି, ସାକ୍ଷାତକାର ପାଇଁ ତାଙ୍କୁ ଆକବର, ସେତେବେଳେ ହୋଟେଲ ରୁମକୁ ଡାକିଥିଲେ । ରୋମାଣ୍ଟିକ ଗୀତ ଲଗାଇ, ମଦ ପିଇବାକୁ ଦେଇଥିଲେ । ବେଡ୍ ଉପରେ ତାଙ୍କ ପାଖରେ ବସିବାକୁ କହିଥିଲେ ଏମ୍. ଜେ ଆକବର ।

ଅଭିଯୋଗ ନମ୍ବର-୨
ବ୍ରିଟେନ୍ର ସାମ୍ବାଦିକ ରୁଥ୍ ଡେଭିଡ୍ ଅଭିଯୋଗ କରିଛନ୍ତି, ଆକବର ତାଙ୍କୁ ତାଙ୍କ ଅଫିସକୁ ଫୋନ୍ କରି ଡାକିଥିଲେ । ଅଫିସରେ ଘର ଭଳି କାଠର ବଡ କବାଟ ଲାଗିଥିଲା, ଫଳରେ ବାହାରୁ କେହି ଦେଖିପାରିବେନି ଏବଂ ବାହାରକୁ ଶବ୍ଦ ଶୁଣାଯିବନି । ରୁଥଙ୍କ ବିନା ଅନୁମତିରେ ତାଙ୍କୁ ପଛପଟୁ କିସ୍ କରିବାକୁ ଉଦ୍ୟମ କରିଥିଲେ ଆକବର ।

ଅଭିଯୋଗ ନମ୍ବର-୩
ମାତ୍ର ୧୮ ବର୍ଷ ବୟସରେ ଇଂଟର୍ଣ୍ଣ କରିବାରୁ ଆସିଥିବା ଆମେରିକୀୟ ସାମ୍ବାଦିକ ମାଜଲି ଡି ପୁ କ୍ୟାମ୍ପ କହିଛନ୍ତି, ୨୦୦୭ରେ ଆକବର ତାଙ୍କୁ ଯୋ÷÷ନ ଶୋଷଣ କରିଥିଲେ । ଟ୍ୱିଟରରେ କ୍ୟାମ୍ପ ଲେଖିଛନ୍ତି, ୫୫ ବର୍ଷିୟ ଆକବର ତାଙ୍କୁ ଜୋର ଜବରଦସ୍ତ ଭିଡି ଧରି କିସ୍ କରିଥିଲେ ।

ଅଭିଯୋଗ ନମ୍ବର-୪
ସାମ୍ବାଦିକ ସବା ନକଭି ଅଭିଯୋଗ ଆଣି କହିଛନ୍ତି, ଆକବର ତାଂକୁ ବାରମ୍ବାର ଅଫିସ ଡାକନ୍ତି । ଏପରିକି ଥରେ ସେ ତାଙ୍କ ଆପାର୍ଟମେଂଟକୁ ବି ଜୋରଜବରଦସ୍ତ ପଶିଆସିଥିଲେ ।

ଅଭିଯୋଗ ନମ୍ବର-୫
ସାମ୍ବାଦିକ ତଥା ଲେଖିକା ଗଜଲା ୱାହେବ ଏମ୍. ଜେ ଆକବରଙ୍କ ବିରୋଧରେ ଅଣିଛନ୍ତି ସଂଗୀନ ଅଭିଯୋଗ । ଗଜଲା କହିଛନ୍ତି, କାମ କରିବା ବେଳେ ଆକବର ତାଙ୍କୁ ବିନା କାରଣରେ ବାରମ୍ବାର ଅଫିସ କ୍ୟାବିନକୁ ଡାକନ୍ତି ଏବଂ ଜୋରଜବରଦସ୍ତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରନ୍ତି ।

ଅଭିଯୋଗ ନମ୍ବର-୬
ଏମ୍. ଜେ ଆକବର ତାଙ୍କୁ ବାରମ୍ବାର ଆଲିଙ୍ଗନ କରନ୍ତି ଏବଂ ସହକର୍ମୀଙ୍କ ସହ ନିବିଡ ସମ୍ପର୍କ ଜରୁରୀ ବୋଲି କହୁଥିବା , ସାମ୍ବାଦିକ ସୁତପା ପଲ୍ ଅଭିଯୋଗ କରିଛନ୍ତି ।

ଅଭିଯୋଗ ନମ୍ବର-୭
ସାମ୍ବାଦିକ ଏବଂ ଲେଖିକା ସୁମା ରାହା ଅଭିଯୋଗ କରିଛନ୍ତି, ୧୯୯୫ରେ ଇଂଟରଭ୍ୟୁ ପାଇଁ ଆକବର ତାଙ୍କୁ କୋଲକାତାର ଏକ ହୋଟେଲକୁ ଡାକିଥିଲେ ।

ଅଭିଯୋଗ ନମ୍ବର-୮
ଆକବରଙ୍କ ସହ ପ୍ରାୟ ୨ ବର୍ଷ କାମ କରିଥିବା ସାମ୍ବାଦିକା କନିକା ଗେହଲଟ ଅଭିଯୋଗ କରିଛନ୍ତି, ଆକବର ତାଙ୍କୁ ହୋଟେଲ ରୁମକୁ ଡାକି, ତାଙ୍କ ସହ ଅସଦାଚରଣ କରିଛନ୍ତି । ଅଫିସର ଅନ୍ୟ ମହିଳା କର୍ମଚାରୀଙ୍କ ସହ ମଧ୍ୟ ଆକବରଙ୍କ ବ୍ୟବହାର ସମାନ ।

ଅଭିଯୋଗ ନମ୍ବର-୯
ଏସିଆନ୍ ଏଜର ବର୍ତମାନ ରେସିଡେଂଟ ଏଡିଟର ଥିବା ସୁପର୍ଣ୍ଣା ଶର୍ମା ଅଭିଯୋଗ କରି କହିଛନ୍ତି, ଆକବର ଦିନେ ତାଙ୍କ କ୍ୟାବିନରେ ତାଙ୍କ ଅନ୍ତବସ୍ତ୍ରକୁ ଟାଣିଦେଇଥିଲେ ।

ଅଭିଯୋଗ ନମ୍ବର-୧୦
ସାମ୍ବାଦିକା ପ୍ରେରଣା ସିଂ ବିନ୍ଦ୍ରାଙ୍କ ଅଭିଯୋଗ ହେଉଛି, କାମ ସମ୍ବନ୍ଧରେ ଆଲୋଚନା ପାଇଁ ଆକବର ତାଙ୍କୁ ହୋଟେଲ ରୁମକୁ ଡାକି ତାଙ୍କ ସହ କମ୍ପ୍ରମାଇଜ୍ କରିବାକୁ କହିଥିଲେ । ଆଉ ସେ ମନା କରିବା ପରେ ଅଫିସରେ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା ।

ଅଭିଯୋଗ ନମ୍ବର-୧୧
ଏମ୍. ଜେ ଆକବରଙ୍କ ବିରୋଧରେ ସଦ୍ୟତମ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା କାଦମ୍ବରୀ । ସେ କହିଛନ୍ତି, ଆକବର ସବୁବେଳେ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଦେଖି କଥାବାର୍ତା କରିବା ସହ ଛୁଇଁବାକୁ ଚେଷ୍ଟା କରନ୍ତି ।