ମୋଦିଙ୍କ ରାମାୟଣ ଉପାଖ୍ୟାନକୁ ନେଇ କଂଗ୍ରେସର ମହାଭାରତ ! ସଂସଦରୁ ସଡ଼କ ପର୍ଯ୍ୟନ୍ତ କଂଗ୍ରେସର ହଂଗାମା

71

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରେଣୁକା ଚୌଧୁରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାମାୟଣ ଉପାଖ୍ୟାନ ପରେ ଜୋର ଧରିଛି ରାଜନୀତି । ସଂସଦରୁ ସଡ଼କ ପର୍ଯ୍ୟନ୍ତ କଂଗ୍ରେସକର୍ମୀ ହଂଗାମା କରିଥିବାବେଳେ ଘଟଣାରେ ମୋଦି କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛନ୍ତି । ଏହାର ଭିଡ଼ିଓ କିରନ୍ ରିଜିଜୁ ଟ୍ୱିଟ୍ କରିବା ପରେ ରେଣୁକା ତାଙ୍କୁ ଟାର୍ଗେଟ୍ କରିଛନ୍ତି । ସେପଟେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ।

ସଂସଦରେ ମୋଦି ଶୁଣାଇଥିବା ରାମାୟଣ ଉପାଖ୍ୟାନକୁ ନେଇ ସରଗରମ ହୋଇଛି ରାଜନୀତି । ମୋଦିଙ୍କ ଭିଡ଼ିଓକୁ କିରନ୍ ରିଜିଜୁ ଟ୍ୱିଟ୍ କରିଥିବା ବେଳେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ବିଶେଷାଧିକାର ପ୍ରସ୍ତାବର ଧମକ ଦେଇଛନ୍ତି । ଅନ୍ୟପଟେ ତାଙ୍କ ଆପତିଜନକ ହସ ସତ୍ୱେ ମୋଦି ସ୍ଥିର ରହିବା ଦୃଶ୍ୟକୁ ଦର୍ଶାଇବା ଟ୍ୱିଟର ଉଦ୍ଦେଶ୍ୟ ଥିବା ରିଜିଜୁ କହିଛନ୍ତି । ସେପଟେ ଘଟଣାରେ ମୋଦି କ୍ଷମା ମାଗିବାକୁ କଂଗ୍ରେସ ଦାବି କରିଛି । ରାମାୟଣ ଉପାଖ୍ୟାନ୍ ପରେ ଆରମ୍ଭ ହୋଇଛି ରୀତିମତ୍ ମହାଭାରତ ।

ରାମାୟଣ ଉପାଖ୍ୟାନକୁ ନେଇ ରେଣୁକା କଡ଼ା ପ୍ରତିକ୍ରିୟା ଦେଇଥିବାବେଳେ ସ୍ମୃତି ଇରାନୀ ଦେଇଛନ୍ତି ଏହାର ଜବାବ୍ । ମହିଳା ହେବାର ଲାଭ ଅଭଦ୍ରାମି ଲୁଚାଇବା ପାଇଁ ଅନୁଚିତ ବୋଲି ସ୍ମୃତି ଆକ୍ଷେପ କରିଛନ୍ତି ରେଣୁକା ଚୌଧୁରୀଙ୍କୁ । ଆକ୍ଷେପ ପ୍ରତ୍ୟାକ୍ଷେପ ଭିତରେ ମୋଦିଙ୍କ ରାମାୟଣ ଉପାଖ୍ୟାନକୁ କଂଗ୍ରେସ ମହାଭାରତ ରୂପ ଦେଇଛି ।

୨୦୧୮ ଫେବୃଆରୀ ୭ ତାରିଖ, ବୁଧବାର । ସଂସଦରେ ଆକ୍ରମଣାତ୍ମକ ମୁଦ୍ରାରେ ନଜର ଆସିଲେ ମୋଦି । ଭାରତ ବିଭାଜନରେ ନେହେରୁଙ୍କ ଭୂମିକାଠାରୁ ଆରମ୍ଭ କରି ଗଣତନ୍ତ୍ରକୁ ନେଇ କଂଗ୍ରେସ ନେତାଙ୍କ ଉପଦେଶ ଯାଏଁ କାହାରିକୁ ଛାଡିଲେ ନାହିଁ । କଂଗ୍ରେସ ନେତାଙ୍କ ହଂଗାମା ସତ୍ୱେ ବିଚଳିତ ହେଉନଥିଲେ ମୋଦି । ମୋଦି ବକ୍ତବ୍ୟ ଜାରି ରଖିଥିବା ବେଳେ ରେଣୁକା ଚୌଧୁରୀଙ୍କ ହସ ଶୁଣିବାକୁ ମିଳିଥିଲା ସଂସଦରେ । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ତାଗିତ୍ ସତ୍ୱେ ତାଙ୍କ ହସ ବନ୍ଦ ହେଉନଥିଲା ।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ରେଣୁକାଙ୍କ ଉଦ୍ଦେଶ୍ୟରେ ଶୁଣାଇଥିଲେ ରାମାୟଣ କଥା । ମୋଦିଙ୍କ ଏହି ରାମାୟଣ ଉପାଖ୍ୟାନକୁ ନେଇ ଏବେ କଂଗ୍ରେସର ମହାଭାରତ ।