କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଅବତାର ! ‘ରାମଲୀଳା’ରେ ଜନକପୁରୀ ରାଜାଙ୍କ ରୂପରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ।

64

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଅବତାର । ପାରମ୍ପରିକ ପାଟମଠା ଓ ମୁକୁଟ ପିନ୍ଧି, ଶୁଦ୍ଧ ହିନ୍ଦୀ କହି ଗତକାଲି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ‘ରାମଲୀଳା’ରେ ମିଥିଳାର ରାଜା ଜନକ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି । ଏଥିରେ ସେ ନିର୍ମଳ ପରିବେଶର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଚାର କରିଥିଲେ । ଲାଲ୍ କିଲା ମୈଦାନରେ ଲବକୁଶ କମିଟି ପକ୍ଷରୁ ଆୟୋଜିତ ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ ‘ରାମଲୀଳା’ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅବତାର ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ରାଜକୀୟ ନିଶ, ମେକ୍-ଅପ୍ ଏବଂ ରାଜକୀୟ ବେଶ ଭୂଷା ପରିଧାନ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଆଦୌ ଚିହ୍ନି ହେଉ ନ ଥିଲେ। ବିଶାଳ ମଞ୍ଚରେ ସଂଳାପ କହିବା ବେଳେ ହର୍ଷ ବର୍ଦ୍ଧନ ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ସଂକ୍ରାନ୍ତରେ ବାର୍ତ୍ତା ପ୍ରଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ରାମଙ୍କ ସହ ବାର୍ତ୍ତାଳାପ କରିବା ବେଳେ ଜନକରୂପୀ କେନ୍ଦ୍ରମନ୍ତ୍ରୀ ହର୍ଷ କହିଥିଲେ ଯେ  ମୁଁ ଜାଣେ ଆପଣ ପ୍ରାକୃତିକ ପରିବେଶରେ ରହିବାକୁ ଇଚ୍ଛା କରୁଛନ୍ତି । ଯଦି ବାୟୁ ପରିଷ୍କାର ଓ ନିର୍ମଳ ରହେ ଜୀବନ ସ୍ୱାସ୍ଥ୍ୟକର ହେବ। ବାସ୍ ତା ପରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ କେନ୍ଦ୍ରମନ୍ତ୍ରୀଙ୍କ ଅଭିନୟ ଏବଂ ଏହାର ଉଦ୍ଦେଶ୍ୟକୁ କରତାଳି ଦ୍ୱାରା ପ୍ରସଂଶା କରିଥିଲେ ।  ଅନୁଷ୍ଠାନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟର ଆକାଣ୍ଟରେ ଟ୍ୱିଟ୍ କରି କହିଥିଲେ ଯେ ସେ ‘ସୀତା’ଙ୍କର ପିତା ରାଜା ଜନକ ଭୂମିକାରେ ଅଭିନୟ କରିବାକୁ ବାହାରିଛନ୍ତି । ରାଜନେତା ପାଲଟି ଥିବା ଭୋଜପୁରୀ ଅଭିନେତା ଏବଂ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ମନୋଜ ତିଓ୍ଵାରି ମଧ୍ୟ ଦିଲ୍ଲୀରେ ଗତବର୍ଷ ରାମଲୀଳାରେ ଅଭିନୟ କରିଥିଲେ। ଯାହାକୁ ନେଇ ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ହୋଇଥିଲା ।