ଜଗନ୍ନାଥ ସଂସ୍କୃତିକୁ ଅପମାନ କଲେ କି କେନ୍ଦ୍ରମନ୍ତ୍ରୀ ? ଝାଡୁମାରିବା ବୟାନକୁ ନେଇ ବିଜେଡି ବନାମ ଧର୍ମେନ୍ଦ୍ର ।

49

ଗତ ୧୪ ତାରିଖ ରଥଯାତ୍ରା ଦିନ ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଫିସିଆଲ ଫେସବୁକ ଆକାଉଣ୍ଟରେ ଲାଇଭ କରି ବଖାଣିଥିଲେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ତତ୍ୱ । ବିଶେଷ କରି ରଥଯାତ୍ରାରେ ଗଜପତି ଛେରାପହଁରାକୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସୃଷ୍ଟି କରିଛି ନୂଆ ବିବାଦ । ଯାହାକୁ ନେଇ ଏବେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛି ଶାସକ ବିଜେଡି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେରାପହଁରାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସହିତ ତୁଳନା କରିଥିଲେ । ଏହାସହ ଗଜପତିଙ୍କ ଛେରାପହଁରା କାର୍ଯ୍ୟକୁ ଝାଡୁମାରିବା ଏବଂ ଗଜପତିଙ୍କୁ ଝାଡୁଦାର ସହ ତୁଳନା କରିବା ନେଇ ଆରମ୍ଭ ହୋଇଛି ରାଜନୀତି ଆରୋପ ପ୍ରତ୍ୟାରୋପ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେରାପହଁରାକୁ ନେଇ କ’ଣ କହିଥିଲେ ଏଠାରେ ଉଲ୍ଲେଖ କରୁଛୁୁ….

“ ଆମ ସମାଜର ବିନମ୍ରତାର ଅନନ୍ୟ ପ୍ରତୀକ ଝାଡୁ ମାରିବା, ସଫେଇ କରିବା । ଯାହାକୁ ଆଜି ଆଧୁନିକ ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତର ଆନ୍ଦୋଳନ କରିଛନ୍ତି । ସ୍ୱଚ୍ଛ ଭାରତର କଳ୍ପନା, ସ୍ୱଚ୍ଛତାର କଳ୍ପନା ଜଗନ୍ନାଥ ସଂସ୍କୃତି ସାଙ୍ଗରେ ଯୋଡି ହେଇକି ଅଛି । ମହାପ୍ରଭୁ ରଥାରୂଢ଼ ହେଲାପରେ ଓଡିଆ ଜାତିର ଅନନ୍ୟା ଶ୍ରଦ୍ଧାର କେନ୍ଦ୍ର ଗଜପତି ମହାରାଜ ଆସିଥାନ୍ତି ରଥକୁ ଓଳେଇବା ପାଇଁ । ରଥକୁ ଝାଡୁ ମାରିବା ପାଇଁ । ସେଇପାଇଁ ତାଙ୍କୁ କେବେ ଝାଡୁଦାର କୁହାଯାଇଥିଲା” ।

ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପାଣ୍ଡିତ୍ୟକୁ ଫେସବୁକ ଲାଇଭରେ ଦେଖି ଜଗନ୍ନାଥପ୍ରେମୀ ଆବାକ୍ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଛି ଶାସକ ବିଜେଡି । ବିଜେଡି କହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେରାପହଁରାକୁ ଝାଡୁ ମାରିବା କହି ଯେଉଁ ଭୁଲ କରିଛନ୍ତି , ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥ ସଂସ୍କୃତିର ଅପମାନ କରିଛନ୍ତି । ଜଗନ୍ନାଥ ସଂସ୍କୃତି କ”ଣ ଭଲ ଭାବରେ କେନ୍ଦ୍ର ମନ୍ତ୍ରୀ ଜାଣନ୍ତୁ ବୋଲି ପ୍ରତାପ ଜେନା କହିଥିବାବେଳେ ବିଜେଡି ମୁଖପାତ୍ର ପ୍ରତାପ ଦେବ ମଧ୍ୟ ର୍ଧର୍ମେନ୍ଦ୍ରଙ୍କ ବୟାନ ଜଗନ୍ନାଥପ୍ରେମୀଙ୍କୁ ଆଘାତ କରିଥିବା କହିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବରେ କହିଛନ୍ତି ଯେ, କାଞ୍ଚି ରାଜା ଗଜପତିଙ୍କୁ ଝାଡୁଦାର କହିଥିଲେ, ଝାଡୁଦାର କହି ଝିଅ ଦେବାକୁ ମନା କରିଥଲେ । ଜଗନ୍ନାଥକୁ କିଏ କେମିତି ଭକ୍ତି କରିବ ଶାସକ ଦଳ ଠିକାଦାର ନୁହେଁ ବୋଲି ବିଜେଡି ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର ।

ରଥଟଣା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିଜର ଫେସବୁକ ଜରିଆରେ ଦେଇଥିବା ମନ୍ତବ୍ୟ ଜଗନ୍ନାଥପ୍ରେମୀ ଓ ଜଗନ୍ନାଥ ସଂସ୍କୃତିକୁ ପ୍ରବଳ ଆଘାତ କରିଛି । ତେବେ ପୁରାଣ ବର୍ଣ୍ଣିତ କାଞ୍ଚି ଅଭିଯାନ ବିଷୟରେ ସମସ୍ତେ ଅବଗତ ଥିବେ, ଦିନେ କାଞ୍ଚିରାଜାଙ୍କ କନ୍ୟାକୁ ବିବାହ କରିବା ପାଇଁ ଗଙ୍ଗ ବଂଶୀୟ ରାଜା ପୁରୁଷୋତ୍ତମ ଦେବ ଇଛା ପ୍ରକାଶ କରିଥିଲେ ମଧ୍ୟ , ସେ ରଥଟଣା ସମୟରେ ଛେରାପହଁରା କରୁଥିବା ଯୋଗୁଁ, କାଞ୍ଚି ରାଜା ତାଙ୍କୁ ଝାଡୁଦାର ଭାବେ ନା’ପସନ୍ଦ କରିଥିଲେ । ହେଲେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ତାଙ୍କର ପ୍ରିୟ ସେବକ ଗଜପତି ପୁରୁଷୋତ୍ତମ ଦେବଙ୍କ ସୌନିକ ସାଜି ଘୋଡ଼ା ଛଢ଼ି କାଞ୍ଚି ଅଭିଯାନ କରିଥିଲେ, ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଜଗନ୍ନାଥପ୍ରେମୀ ସହ୍ୟ କରିପାରିବେ କି ବୋଲି ପ୍ରଶ୍ନ ଉଠିଛି ।