ତାଲାବନ୍ଦ: ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ, ଗୁରୁତ୍ୱ ଦେଇ ଯତ୍ନ ନେବାକୁ ଅନୁରୋଧ କଲେ ।

838

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା । ୨୧ ଦିନିଆ ଲକ୍ ଡାଉନ ଯୋଗୁଁ ଓଡ଼ିଶା ବାହାରେ ଅଟକି ରହିଥିବା ଓଡ଼ିଆ ଲୋକଙ୍କ ଯତ୍ନ ନେବାକୁ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେରଳ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରାଜ୍ୟ ବାହାରେ ଅଟକି ରହିଥିବା ଭାଇ ଭଉଣୀ ମାନଙ୍କର ରହିବା ଖାଇବା ଏବଂ ବିଶେଷ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିବା ଟ୍ୱିଟ୍ ଯୋଗେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ଆବଶ୍ୟକତାକୁ ଦୃଷ୍ଟି ଦେଇ ଉପଯୁକ୍ତ ଗୁରୁତ୍ୱର ସହ ଓଡ଼ିଆ ଭାଇ ଭଉଣୀଙ୍କ ଯତ୍ନ ନେବାକୁ ୫ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପଟେ ସାରା ଦେଶ ଏବେ କରୋନା ଭଳି ବିଶ୍ୱ ମହାମାରୀର ମୁକାବିଲା କରୁଥିବାରୁ ଓଡ଼ିଆ ଭାଇ-ଭଉଣୀ ଏବଂ ଗୁରୁଜନମାନେ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ରହିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଏପରିକି ସଂପୃକ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ରରେ ରହି ଆପଣଙ୍କୁ ସହଯୋଗ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ତେଣୁ ବିଚଳିତ ନହୋଇ କିଛି ଦିନ ଆଉ ଧର୍ଯ୍ୟ ରଖି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।