ଐତିହ୍ୟ କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରି ଧର୍ମେନ୍ଦ୍ରଙ୍କ ଗୁଗଲି । ପରୋକ୍ଷରେ ତୀର ମାରି କହିଲେ, ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣକୁ ଭୁଲିଗଲେ

39

କନକ ବ୍ୟୁରୋ: ପୁରୀ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଗତକାଲି ଐତିହ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି । କିନ୍ତୁ ଐତିହ୍ୟ କ୍ୟାବିନେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ନିଜର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ରାଜ୍ୟ ଇତିହାସକୁ ୧୦୦ ବର୍ଷ ମଧ୍ୟରେ ସୀମିତ ରଖିଲା ଭଳି ମାନସିକତା ଭଳି ଗତକାଲିର ଐତିହ୍ୟ କ୍ୟାବିନେଟ ବୈଠକର ନିଷ୍ପତିରୁ ଅନୁଭବ ହେଉଛି । ଓଡିଶାର ହଜାରହଜାର ବର୍ଷର ଲମ୍ବା ଐତିହ୍ୟ, ପରମ୍ପରା ଓ ବିରତ୍ୱର କାହାଣୀ ଖାଲି ଦେଶ ନୁହେଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି । ଏହି ଐତିହ୍ୟ କ୍ୟାବିନେଟ ବୈଠକରେ ପାଇକବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ନରେନ୍ଦ୍ର ମୋଦିଙ୍କୁ ସହଯୋଗର ହାତ ବଢାଇବା ଉଚିତ ହୋଇଥାନ୍ତା । କେନ୍ଦ୍ର ସରକାରଙ୍କ ଦ୍ୱାରା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ଯଥାମାନ୍ୟ ପାଳନ କରାଯାଉଛି । ତତକାଳୀନ ମହାମହିମ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଦ୍ୱାରା ଉଦଘାଟିତ ଏହି ବର୍ଷବ୍ୟାପି ସମାରୋହରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।

ଏହି ମହାନ ବିପ୍ଳବର ସ୍ମାରକୀକୁ ଆଗାମୀ ଶହଶହ ବର୍ଷ ପର୍ୟ୍ୟନ୍ତ ଆଗାମୀ ପୀଢିସମୂହଙ୍କୁ ପ୍ରେରଣା ଦେବାଭଳି ଏକ ସ୍ମୃତିସ୍ଥଳ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପାଇକ ବିଦ୍ରୋହର ରକ୍ତଭିଜା ମାଟି ବରୁଣେଇ ପାହଡ ତଳେ କିଛି ଜମି ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି । ଏପରିକି ରାଜ୍ୟ ସରକାର ବିଧାନସଭାରେ ପାଇକବିଦ୍ରୋହର ଦୁଇଶହ ତମ ବାର୍ଷିକ ପାଳନ ପାଇଁ ଏହି ଗୌରବମୟ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ତଥା ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରଧୀନ ଅଛି ଓ ଏ ବିଷୟରେ ସରକାର ଖୁବଶୀଘ୍ର ଡିପିଆର ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟର ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ।

ଓଡିଆଜାତିର ଭାବାବେଗ ସହ  ଭାବେ ଜଡିତ ଇଂରେଜ ବିରୋଧରେ ଭାରତର ଏହି ପ୍ରଥମ ସଂଗଠିତ ସ୍ୱାଧୀନତା ସଂଗ୍ରାମର ସ୍ମୁତିରକ୍ଷା ଆଗାମୀ ଶହଶହ ବର୍ଷ ପାଇଁ ସମଗ୍ର ବିଶ୍ୱର ନଜରକୁ ଓଡିଶା ଆଡକୁ ଟାଣିବା ପାଇଁ ଏକ ପେଣ୍ଠସ୍ଥଳୀ ହୋଇପାରିବ । ଐତିହ୍ୟ କ୍ୟାବିନେଟର ବୈଠକ ଆଗାମୀ ଦିନରେ ପୁଣି ବସିବ । ମୋର ଦୃଢ ବିଶ୍ୱାସ ପାଇକବିଦ୍ରୋହର ସ୍ମାରକୀପାଇଁ ନରେନ୍ଦ୍ର ମୋଦି ସରକାରଙ୍କର ଏହି ଉଦ୍ୟମକୁ ସହଯୋଗର ହାତ ବଢାଇ ଏଥିପାଇଁ ବରୁଣେଇ ପାହଡ ତଳେ ଜମି ଯୋଗାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ପରବର୍ତ୍ତୀ ଐତିହ୍ୟ କ୍ୟାବିନେଟର ବୈଠକରେ ଏଥିପାଇଁ ଭୂମି ଯୋଗାଇ ଦିଆଯିବାର ନିଷ୍ପତ୍ତି ନିଆଯିବ ବୋଲି ଆବାଦୀ ଅଛନ୍ତି ।

ରାଜ୍ୟ ସରକାରଙ୍କ ଐତିହ୍ୟ କ୍ୟାବିନେଟର ବୈଠକରେ ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିର୍ଣ୍ଣୟ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ବହୁ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଓଡିଆ ଭାଷା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ ତଥା ସମାଜ ସେବା ଓ ସଂସ୍କୃତି ପରମ୍ପରାର ଅନନ୍ୟ ପ୍ରେରଣାର କେନ୍ଦ୍ର ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଭାରତ ସରକାର ଓ ମୋ ତରଫରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାପାଇଁ ଆମେ ପ୍ରତିଶୃତି ବଦ୍ଧ ବୋଲି ଫେସବୁକ ପୋଷ୍ଟ ଜରିଆରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।