ଓଡିଆ କାର୍ଡ ଖେଳିଲେ ଧର୍ମେନ୍ଦ୍ର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପ୍ରଶ୍ନ, ସୁଯୋଗକୁ ହାତଛଡା କଲା କି ବିଜେଡି ?

34

କନକ ବ୍ୟୁରୋ: ରାଜ୍ୟସଭା ଉପାଧକ୍ଷ ନିର୍ବାଚନ ପରେ ବି ଥମୁନି ରାଜନୀତି । ବିଜେପି ସମର୍ଥିତ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପରେ ଚାଲିଛି ଥ୍ୟାଙ୍କ ୟୁ ରାଜନୀତି । ଦିଲ୍ଲୀରୁ ଫେରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଉପସଭାପତି ନିର୍ବାଚନ ସମର୍ଥନ ନେଇ ବିଜେଡିକୁ କୃତଜ୍ଞତା ଦେବା ସହ ପରୋକ୍ଷରେ ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ଦୀର୍ଘ ୪୦ବର୍ଷ ଧରି କଂଗ୍ରେସ କବଜାରେ ଥିଲା । ଏହି ପଦବୀକୁ କଂଗ୍ରେସ ହାତରୁ ଛଡାଇ ଆଣିବା ବିଜେପିର ଦାୟିତ୍ୱ ଥିଲା । ବିଜେଡିର ନାଁ ନନେଇ ଧର୍ମେନ୍ଦ୍ର କହିଛନ୍ତିି ଯେଉଁ ବନ୍ଧୁମାନେ ଏନଡିଏକୁ ସମର୍ଥନ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି । କିଏ କାହାକୁ ସମର୍ଥନ କଲା କି ଅନୁରୋଧ କଲା ତାହା ଲୋକଙ୍କୁ ଜଣାଅଛି ।

ଯେଉଁମାନେ କହୁଛନ୍ତି ଆମେ ବିଜେପିକୁ ସମର୍ଥନ କଲୁ ସେମାନେ ଓଡିଆ ପୁଅକୁ କାହିଁକି ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ କରାଇଲେ ନାହିଁ । ଓଡିଶାରୁ କେହି ବି ଏହି ପଦବୀ ପାଇପାରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ହୁଏତ କିଛି ବାଧ୍ୟ ବାଧକତା ଥାଇପାରେ ବୋଲି ଅନୁଭବ ହେଉଛି, ନାଁ ନ ନେଇ ମଧ୍ୟ ବିଜେଡି ଆଡକୁ ପରୋକ୍ଷରେ ଅଙ୍ଗୁଳି କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୃତଜ୍ଞତା ବୟାନକୁ ବିଜେଡି ମଧ୍ୟ ମଧ୍ୟ ଜବାବ ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଆମେ ଏନଡିଏକୁ ନୁହେଁ ବରଂ ଜେଡିୟୁକୁ ସମର୍ଥନ କରିଥିଲୁ । ଏବଂ ସ୍ପଷ୍ଟ କହିଥିଲୁ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଆଭିମୁଖ୍ୟ ବଜାୟ ରଖିଛୁ । କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କୁ ବୋଧ ହୁଏ ଜଣାନାହିଁ ଯେ, ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଜେଡିୟୁ ଏବଂ ବିଜେଡି ଆଞ୍ଚଳିକ ଦଳର ଆଭିମୂଖ୍ୟ ଏକ । ତେଣୁ ଏକ ଆଞ୍ଚଳିକର ପ୍ରାର୍ଥୀ ଏବେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସିଛନ୍ତି ତାହା ଖୁସିର ବିଷୟ । ଏବଂ ଜଣେ ଓଡିଆ ହିଁ ସେହି ନିର୍ବାଚନରେ ପ୍ରାର୍ଥୀ ହେବ ବୋଲି ତଥ୍ୟ କେଉଁଠୁ ପାଇଲେ କେନ୍ଦ୍ରମନ୍ତ୍ରୀ ବୋଲି ପ୍ରଶ୍ନ କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହୁଏତ ନିରାଶା କି ହତାଶ ହୋଇ ଏଭଳି ଭ୍ରମାତ୍ମକ ବୟାନ ଦେଉଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ଫୋନ କରି ଧନ୍ୟବାଦ ଦେଉଛନ୍ତି ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗାଳି କରୁଛନ୍ତି ଏହା କି ପ୍ରକାର ମାନସିକତା? ସୌଜନ୍ୟତା ଭୂଲି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।